ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଗୁଣପୁର ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା ଏକ କପଡ଼ା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ବିଳମ୍ବିତ ରାତିରେ ଆୟାପ୍ପା ଡ୍ରେସେସ୍ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି । ଏହା ସହିତ ଉପର ମହଲାରେ ଫଶି ରହିଥିବା ୪ ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛନ୍ତି ।
ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟାରୁ ୨ଟା ମଧ୍ୟରେ ଆୟାପ୍ପା ଡ୍ରେସେସ୍ ଦୋକାନରେ ନିଆଁ ଲାଗିଥିଲା । ଏ ନେଇ ଗୁଣୁପୁର ଅଗ୍ନିଶମ ବାହିନୀକୁ ଖବର ଦେବା ପରେ ତୁରନ୍ତ ନିଆଁ ଲିଭା କାର୍ୟ୍ୟ ଆରମ୍ଭ ହୋଇଥିଲା । ନିଆଁର ଭୟାବହତା ଏତେ ଥିଲା ଯେ ଗୁମୁଡ଼ା ଅଗ୍ନିଶମ ବାହିନୀର ସାହାଯ୍ୟ ନିଆଯାଇଥିଲା । ଉଭୟ ଅଗ୍ନିଶମ ବାହିନୀ ନିଆଁଙ୍କୁ ଆୟତ୍ତ କରିଥିଲେ । ଏହି ସମୟରେ ଦୋକାନର ଉପର ମହଲାରେ ୪ ଜଣ କର୍ମଚାରୀ ଫସି ରହିଥିଲେ । ସେମାନଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରାଯାଇଛି । ବିଦ୍ୟୁତ୍ ସର୍ଟ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଥିବାବେଳେ ପୋଲିସ ଯାଞ୍ଚ ଆରମ୍ଭ କରିଛି ।