ପୁରୀ: ଆଜିକାଲି ଯୁବପୀଢ଼ିଙ୍କୁ ଘାରିଛି ରିଲ୍ସ ଆଉ ସେଲଫି ନିଶା । ଯେଉଁଠି ଦେଖିବ ସେଠି ବିପଦଜନକ ଅବସ୍ଥାରେ ରିଲ୍ସ କିମ୍ବା ସେଲଫି ନେଉଛନ୍ତି । ପୁଣି ଜଣେ ନାବାଳକର ଜୀବନ ନେଇଛି ରିଲ୍ସ ନିଶା । ରିଲ୍ସ କରୁଥିବା ସମୟରେ ଟ୍ରେନରେ ଧକ୍କାରେ ନାବାଳକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ନାବାଳକ ଜଣକ ହେଲା ପୁରୀ ଜିଲ୍ଲା ଚନ୍ଦନପୁର ଥାନା ମଙ୍ଗଳାଘାଟର ବିଶ୍ୱଜିତ ସାହୁ ।
ସୂଚନା ମୁତାବକ, ବିଶ୍ୱଜିତ ଗତକାଲି ମା’ ଦକ୍ଷିଣ କାଳୀଙ୍କ ଦର୍ଶନ ପାଇଁ ଯାଇଥିଲା । ଘରକୁ ଫେରୁଥିବା ବେଳେ ଜାନକାଦେଇପୁର ଷ୍ଟେସନ ନିକଟରେ ରେଳ ଧାରଣା ଉପରେ ତାକୁ ଟ୍ରେନ୍ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରିଛି । ବିଶ୍ୱଜିତ ସବୁବେଳେ ରିଲ୍ପ କରୁଥାଏ ବୋଲି ପଡ଼ୋଶୀ କହିଛନ୍ତି । ରିଲ୍ସ କରିବାବେଳେ ଟ୍ରେନ୍ ଧକ୍କା ଦେଇଥିବା ଅନୁମାନ କରାଯାଉଛି । ତେବେ ପୋଲିସ ଯାଞ୍ଚ ଆରମ୍ଭ କରିଛି ।