ଭୁବନେଶ୍ୱର: ପୋଲିସ ଏସ୍ଆଇ ପରୀକ୍ଷା ଜାଲିଆତି ମାମଲାକୁ ଅନେକ ତଥ୍ୟ ଧିରେ ଧିରେ ସାମ୍ନାକୁ ଆସିବାରେ ଲାଗିଛି । ଏଥିରେ ବଡ଼ ବଡ଼ ପୂର୍ବତନ ପୋଲିସ ଅଧିକାରୀଙ୍କ ପୁଅ ଝିଅମାନେ ଗିରଫ ହୋଇଥିବା କୁହାଯାଉଛି ।
ସେପଟେ ପରୀକ୍ଷା ପରିଚାଳନା ଦାୟିତ୍ଵରେ ଥିବା ସଂସ୍ଥା ସିଲିକନ ଟେକ୍ ପ୍ରାଇଭେଟ ଲିମିଟେଡର ସିଇଓଙ୍କୁ ଶୁକ୍ରବାର ଜେରା କରାଯାଇଛି । ସିଲିକନ୍ ମୁଖ୍ୟ ସୁରେଶ ନାୟକଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ଜେରା କରୁଛି । ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୁଷ୍ଟି ଏବଂ ମୁନା ମହାନ୍ତି ଫେରାର ରହିଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।
ସୂଚନାଯୋଗ୍ୟ, ଆସନ୍ତା ୫ ତାରିଖରେ ପୋଲିସ ଏସଆଇ ପରୀକ୍ଷା ହେବାର ଥିଲା । ଏହା ପୂର୍ବରୁ ଶତାଧିକ ପିଲାଙ୍କୁ ତିନୋଟି ବସରେ ଆନ୍ଧ୍ର ପ୍ରଦେଶ ନେଇ ସେଠାରେ ଆଗୁଆ ପ୍ରଶ୍ନ ଉତ୍ତର ପାଇଁ ତାଲିମ ଦିଆଯାଇଥାଆନ୍ତା । ଯାହା ପୂର୍ବରୁ ବ୍ରହ୍ମପୁର ଏସିଙ୍କ ନେତୃତ୍ୱରେ ଗଠିତ ଟିମ୍ ସେମାନଙ୍କୁ ଗିରଫ କରିଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏଥିରେ ହସ୍ତକ୍ଷେପ କରିଥିବା ଜଣାପଡ଼ିଛି । କେହି ଜଣେ ଗୁପ୍ତ ସୂଚନା ଦେବା ପରେ ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ଏସପିଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।