ଆଜିଠୁ ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ବଡଦିନ ଓ ନୂଆବର୍ଷରେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ମରାମତି କାର୍ଯ୍ୟ ବନ୍ଦ ରହିଥିଲା । ଗତ ଡିସେମ୍ବର ୨୫ ତାରିଖ ଠାରୁ ଜାନୁଆରୀ ୨ ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ସ୍ଥଗିତ ରହିଥିବା ବେଳେ ଆଜିଠାରୁ ପୁଣି କାର୍ଯ୍ୟ ଆରମ୍ଭ ହେବ । ଏନେଇ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ପୂର୍ବରୁ ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାରର ଚୂନ ପ୍ଳାଷ୍ଟର ଛଡାଇ ଦିଆଯାଇଛି । ରତ୍ନ ଭଣ୍ଡାର ଭିତରେ ୨୦ ଫୁଟ ଉଚ୍ଚର ଲୁହା ଭାରା ବନ୍ଧାଯାଇ ଡି ପ୍ଲାଷ୍ଟରିଂ ବା ଚୂନ ଛଡ଼ାଇବା କାର୍ଯ୍ୟ କରାଯାଇଥିଲା । ଅଧିକାଂଶ ଡି ପ୍ଲାଷ୍ଟରିଙ୍ଗ କାର୍ଯ୍ୟ ସରିଛି । ଆଜିଠୁ ଷ୍ଟୋନ ବା ପଥର ମରାମତି କାର୍ଯ୍ୟ ଆରମ୍ଭ ହେବ । ଆବଶ୍ୟକ ସ୍ଥଳେ ଫାଟ ଫାଟ ଥିବା ପଥର ପରିବର୍ତ୍ତନ ହେବ ।
ଏହାସହ ପ୍ରତିଦିନ ସାଢ଼େ ୧୨ଟା ସୁଦ୍ଧା ଦ୍ୱିତୀୟ ଭୋଗମଣ୍ଡପ ଶେଷ କରି ଏହା ପରଠାରୁ ସନ୍ଧ୍ୟା ସାଢ଼େ ୫ଟା ପର୍ଯ୍ୟନ୍ତ ଏଏସ୍ଆଇକୁ ମରାମତି କାମ କରିବାକୁ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା ୩ ମାସ ଭିତରେ ରତ୍ନଭଣ୍ଡାରର ମରାମତି ଓ ସଂରକ୍ଷଣ ସାରିବାକୁ ଏଏସ୍ଆଇ ସମୟ ନେଇଛି ।