ଭଦ୍ରକ ; ଆସନ୍ତା ୩୧ ତାରିଖରେ ବାବା ଆଖଣ୍ଡଳମଣୀଙ୍କ ପୀଠରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଶିବ ବିବାହ ଉତ୍ସବ । ଏଥିପାଇଁ ଲଗ୍ନଧରା କାର୍ଯ୍ୟ ସରିଛି । ଏହାସହିତ ବର କର୍ତାଙ୍କ ଘରୁ ଲଗ୍ନଥାଳି ବାହାରି କନ୍ୟା କର୍ତ୍ତାଙ୍କ ଘରେ ଲଗ୍ନ ଚିତାଉ ପଠନ କରାଯିବା ସହ ଗୁଆ ମଙ୍ଗୁଳା କାର୍ଯ୍ୟ ସମ୍ପନ୍ନ ହୋଇଛି। ପରେ କନ୍ୟା କର୍ତ୍ତାଙ୍କ ଘରେ ସାତ ଜଣ ମହିଳା ଗୁଆ ମଙ୍ଗୁଳା କାର୍ଯ୍ୟ ସମ୍ପନ୍ନ କରିଥିଲେ । ପରେ ସେହି ଲଗ୍ନ ଚିତାଉ ଦେବ ଦେବ ମହାଦେବଙ୍କ କର୍ତାଙ୍କ ଘରେ ପଠନ କରାଯାଇଥିଲା । ଏହି ସବୁ କାର୍ଯ୍ୟ ରୀତିନୀତି ଅନୁସାରେ ଶେଷ କରାଯାଇଥିଲା ।
ତେବେ ଚଳିତମାସ ୧୨ରେ ପବିତ୍ର ଚନ୍ଦନପୂର୍ଣ୍ଣିମା ଦିନ ଶିବ ବିବାହ ନିମନ୍ତେ ଶୁଭଲଗ୍ନ ଅନୁଷ୍ଠିତ ହେବା ସହ ୩୦ରେ ମଙ୍ଗଳପାଗ ଓ ୩୧ରେ ଦେବଦମ୍ପତ୍ତିଙ୍କ ବିବାହ ମହା ଆଡମ୍ବର ସହ ପାଳିତ ହେବ। ଏଥିପାଇଁ ପୀଠରେ ୨ଦିନ ଧରି ନିରବିଛିନ୍ନ ବିଦ୍ୟୁତ ସେବା ସହ ପାନୀୟଜଳ ଯୋଗାଣ, ୨୪ଘଣ୍ଟିଆ ,ସ୍ୱାସ୍ଥ୍ୟ ସେବା , ପରିମଳ ଆଦି ଉପରେ ଆଲୋଚନା କରାଯାଇଥିଲା। ବିବାହ ଉତ୍ସବରେ ବରଧରା ଶୋଭାଯାତ୍ରା ଓ ବରାନୁଗମନ ଶୋଭାଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଭକ୍ତଙ୍କ ସମାଗମ ହେବ। ଭକ୍ତମାନଙ୍କର ଭିଡକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳା ନିମନ୍ତେ ବ୍ୟାପକ ପୁଲିସ ଫୋର୍ସ ମୁତୟନ ରହିବେ। ତେବେ ଭାଗ୍ୟରେ ଥିଲେ ଦେବ ଦେବ ମହାଦେବ ଓ ପାର୍ବତୀଙ୍କ କର୍ତା ହେବାର ସୌଭାଗ୍ୟ ମିଳେ ବୋଲି ଉଭୟ କର୍ତା ପ୍ରକାଶ କରିଛନ୍ତି ।