ନୂଆଦିଲ୍ଲୀ: ବର୍ତ୍ତମାନର ପ୍ରଧାନବିଚାରପତି ସଞ୍ଜିବ ଖାନ୍ନାଙ୍କ କାର୍ଯ୍ୟକାଳ ସୁପ୍ରିମ୍କୋର୍ଟରେ ଆଜି ଶେଷ ଦିନ। ଯଦି ଆମେ ତାଙ୍କ କାର୍ଯ୍ୟକାଳକୁ ଅଳ୍ପ ଶବ୍ଦରେ ବୁଝିବାକୁ ଚାହୁଁ, ତେବେ 'କଥା କମ୍, ଅଧିକ କାମ' ହିଁ ଉତ୍ତର ହେବ। ବିଚାରପତିମାନଙ୍କ ବିଷୟରେ ଏକ ପୁରୁଣା କଥା ଅଛି ଯେ ସେମାନେ କେବଳ ସେମାନଙ୍କର ନିଷ୍ପତ୍ତି କିମ୍ବା ଆଦେଶ ମାଧ୍ୟମରେ କହିଥାନ୍ତି। ମେ ୧୩ରେ ଅବସର ନେଉଥିବା ଖାନ୍ନାଙ୍କୁ ସର୍ବଦା ଏହି ପରମ୍ପରା ଅନୁସରଣ କରୁଥିବାର ଦେଖାଯାଇଛି। ସେ କେବଳ ନିର୍ଦ୍ଦେଶ ଏବଂ ନିଷ୍ପତ୍ତି ମାଧ୍ୟମରେ ନିଜର ମତାମତ ପ୍ରକାଶ କରିଚାଲିଥିଲେ। ସେ କେବେ ଏପରି କୌଣସି ମନ୍ତବ୍ୟ ଦେଇ ନଥିଲେ ଯାହା ଆଲୋଚନାର ବିଷୟ ପାଲଟିଥିଲା।
ପ୍ରଧାନବିଚାରପତି ଖାନାଙ୍କ ବ୍ୟକ୍ତିତ୍ୱ ତାଙ୍କ ପୂର୍ବବର୍ତ୍ତୀ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଚନ୍ଦ୍ରଚୂଡ଼ ଖୋଲାଖୋଲି ଭାବରେ ତାଙ୍କର ମତାମତ ପ୍ରକାଶ କରୁଥିଲେ। କିନ୍ତୁ ଖାନ୍ନା ଅଳ୍ପ କଥାର ବ୍ୟକ୍ତି ଥିଲେ। ୨୦୨୪ ନଭେମ୍ବର ୧୧ରେ ଭାରତର ମୁଖ୍ୟ ବିଚାରପତି ହୋଇଥିବା ଖାନ୍ନାଙ୍କର ମଧ୍ୟ କାର୍ଯ୍ୟକାଳ ମାତ୍ର ୬ ମାସ ଥିଲା। କିନ୍ତୁ ସେ ତାଙ୍କର ଦୃଢ଼ ନିଷ୍ପତ୍ତି ନେଇ ଏହାକୁ ପ୍ରଭାବଶାଳୀ ଏବଂ ସ୍ମରଣୀୟ କରିଥିଲେ।
ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶୱନ୍ତ ବର୍ମାଙ୍କ ଘରୁ ପୋଡ଼ି ଯାଇଥିବା ଟଙ୍କା ଉଦ୍ଧାର ମାମଲାରେ ସେ ଅତ୍ୟନ୍ତ କଠୋର ଏବଂ ସ୍ୱଚ୍ଛ ମନୋଭାବ ଗ୍ରହଣ କରିଥିଲେ। ସେ ସୁପ୍ରିମକୋର୍ଟ ୱେବସାଇଟରେ ମାମଲା ସହିତ ଜଡିତ ସମସ୍ତ ତଥ୍ୟ ସାର୍ବଜନୀନ କରିଥିଲେ। ୩ ଜଣ ବିଚାରପତିଙ୍କ ଏକ କମିଟି ଗଠନ କରାଯାଇ ତଦନ୍ତ କରାଯାଇଥିଲା। ରିପୋର୍ଟରେ ବର୍ମାଙ୍କ ବିରୋଧରେ ଅଭିଯୋଗ ନିଶ୍ଚିତ ହେବା ପରେ, ତାଙ୍କୁ ଇସ୍ତଫା ଦେବାକୁ କୁହାଯାଇଥିଲା। ବର୍ମାଙ୍କ ମନା ପରେ, ରିପୋର୍ଟକୁ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଯାଇଥିଲା ଯାହା ଦ୍ଵାରା ସଂସଦରେ ମହାଭିଯୋଗ ମାଧ୍ୟମରେ ତାଙ୍କୁ ପଦରୁ ହଟାଯାଇପାରିବ।
- ପ୍ରଧାନବିଚାରପତି ସଞ୍ଜୀବ ଖାନ୍ନା ସମସ୍ତ ସୁପ୍ରିମକୋର୍ଟ ବିଚାରପତିଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି ବିବରଣୀ ସାର୍ବଜନୀନ କରିବାକୁ ରାଜି କରାଇଲେ। ଏହି ପ୍ରସ୍ତାବ ତାଙ୍କ ଅଧ୍ୟକ୍ଷତାରେ ୨୦୨୫ ଏପ୍ରିଲ ୧ରେ ଅନୁଷ୍ଠିତ ପୂର୍ଣ୍ଣ ଅଦାଲତ ବୈଠକରେ ଗୃହୀତ ହୋଇଥିଲା।
- ବିଚାରପତିଙ୍କ ନିଯୁକ୍ତିରେ ଭେଦଭାବ ଏବଂ ପରିବାରବାଦ ଅଭିଯୋଗର କୌଣସି କଥା ନ କହି ପ୍ରଧାନବିଚାରପତି ଖାନ୍ନା ମଧ୍ୟ ପ୍ରତିକ୍ରିୟା ଦେଇଥିଲେ। ସେ ଗତ ୩ ବର୍ଷ ମଧ୍ୟରେ ସୁପ୍ରିମକୋର୍ଟ କଲେଜିୟମ ଦ୍ୱାରା କେନ୍ଦ୍ର ସରକାରଙ୍କୁ ପଠାଯାଇଥିବା ସୁପାରିଶଗୁଡ଼ିକୁ ସାର୍ବଜନୀନ କରିଥିଲେ।
- ଜଷ୍ଟିସ୍ ଖାନ୍ନା ପୁରାତନ ମନ୍ଦିର ଦାବି କରିବା ପାଇଁ ଦେଶବ୍ୟାପୀ ଦାୟର ହେଉଥିବା ମାମଲାଗୁଡ଼ିକୁ ବନ୍ଦ କରିଦେଇଥିଲେ। ସେ ସ୍ପଷ୍ଟ କରିଥିଲେ ଯେ ଯେପର୍ଯ୍ୟନ୍ତ ସୁପ୍ରିମକୋର୍ଟ ପୂଜା ସ୍ଥାନ ଆଇନ, ୧୯୯୧ର ବୈଧତା ଉପରେ ନିଷ୍ପତ୍ତି ନ ନିଅନ୍ତି, ସେପର୍ଯ୍ୟନ୍ତ କୌଣସି ନୂତନ ମାମଲା ଦାୟର କରାଯାଇପାରିବ ନାହିଁ।
- ୱାକଫ ସଂଶୋଧନ ଆଇନ ବିରୋଧରେ ଚାଲିଥିବା ପ୍ରତିବାଦର ମଧ୍ୟ ଅନ୍ତ ଘଟାଇଥିଲେ। ସେ ଆଇନର କିଛି ଧାରା ଉପରେ ଏକ ମଧ୍ୟବର୍ତ୍ତୀକାଳୀନ ସ୍ଥଗିତାଦେଶ ଲଗାଇବାକୁ ତାଙ୍କର ଅଭିପ୍ରାୟ ପ୍ରକାଶ କରିଥିଲେ।
କୋର୍ଟରେ ଓକିଲମାନଙ୍କୁ ପ୍ରାଥମିକତା ଦିଆଯାଇଥାଏ। ସେମାନଙ୍କ ଅନୁରୋଧ କ୍ରମେ ମାମଲାଗୁଡ଼ିକର ଶୀଘ୍ର ଶୁଣାଣି କରାଯାଏ। ମୁଖ୍ୟ ବିଚାରପତି ଖାନ୍ନା ଏହା ଉପରେ ବିଶେଷ ଧ୍ୟାନ ଦେଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ଶୀଘ୍ର ଶୁଣାଣି ପାଇଁ ମୌଖିକ ଅନୁରୋଧ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ସେ ସବୁଠାରୁ ବରିଷ୍ଠ ଓକିଲମାନଙ୍କୁ ମଧ୍ୟ ମୌଖିକ ଅନୁରୋଧ କରିବାକୁ ବାରଣ କରିଥିଲେ ଏବଂ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ଶୁଣାଣି ପାଇଁ ରେଜିଷ୍ଟ୍ରିରେ ଏକ ଅନୁରୋଧ ପତ୍ର ଦାଖଲ କରିବାକୁ କହିଥିଲେ।
ଅଧିକ ପଢ଼ନ୍ତୁ: ଗ୍ରୀଷ୍ମ ଲହରୀ ନେଇ ସତର୍କତା ଜାରି