କେନ୍ଦୁଝର: ଆଖିରେ ଅସୁମାରୀ ସ୍ୱପ୍ନ । ଉଚ୍ଚ ଶିକ୍ଷା ପାଇଁ ମନ । କିନ୍ତୁ ଅର୍ଥି ସାଜିଛି ବାଧକ । ସେଥିପାଇଁ ଛେଳି ଚରାଇ ଅର୍ଥ ଯୋଗାଡ଼ କରୁଛନ୍ତି ମେଧାବୀ ଛାତ୍ର ମାନସ ଦେହୁରୀ ।
କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ ନୟାକୋଟ ପଞ୍ଚାୟତ ସୁଡ଼ଙ୍ଗ ଗାଁର ମେଧାବୀ ଛାତ୍ର ମାନସ ଦେହୁରୀ ନିକଟରେ ଯୁକ୍ତ ୨ କଳାରେ ୮୫ ପ୍ରତିଶତ ମାର୍କ ରଖିଥିଲେ । ବାପା ଥିବାବେଳେ ଚାଷ କରି ବାପା ପୁଅକୁ ପାଠ ପଢ଼ାଉଥିଲେ । ମାନସଙ୍କ ବାପା ବେଣୁଧର ଦେହୁରୀ ଆରପାରିକୁ ଚାଲିଯିବା ପରେ, ତାଙ୍କ ଘରର ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ମୁଣ୍ଡ ଉପରୁ ବାପାଙ୍କ ହାତ ଉଠିଯିବା ପରେ ମାନସଙ୍କ ଉଚ୍ଚ ଶିକ୍ଷା ଅଧ୍ୟୟନ ଯେପରି ସାତ ସପନ ହୋଇଯାଇଛି । ବଡ଼ ଭାଇ ମଧ୍ୟ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଛନ୍ତି । ଅର୍ଥ ଅଭାବରୁ ଯୁକ୍ତ ତିନିରେ ନାମ ଲେଖାଇ ପାରୁ ନାହାଁନ୍ତି । ସେଥିପାଇଁ ସେ ଏବେ ଛେଳି ଚରାଇବା ସହିତ ମୂଲ ଲାଗୁଛନ୍ତି ଏବଂ ପିଲାଙ୍କୁ ଟ୍ୟୁସନ୍ ମଧ୍ୟ କରୁଛନ୍ତି । ଟଙ୍କା ଯୋଗାଡ଼ କରିଲେ ଯୁକ୍ତ ତିନିରେ ନାମ ଲେଖାଇବେ ।
ମାନସ ଜଣେ ଆଇଏଏସ୍ କିମ୍ବା ଓଏଏସ୍ ଅଧିକାରୀ ହେବାକୁ ସ୍ୱପ୍ନ ଦେଖିଛନ୍ତି । ଯଦି ତାଙ୍କୁ ସରକାରୀ ସାହାଯ୍ୟ ମିଳନ୍ତା ତେବେ ସେ ତାଙ୍କ ସ୍ୱପ୍ନ ପୂରଣ କରିପାରନ୍ତେ ବୋଲି ଖବର ଓଡ଼ିଶାକୁ କହିଛନ୍ତି ।