ନୂଆଦିଲ୍ଲୀ: ରାଜଧାନୀ ରାଜରାସ୍ତାକୁ ରଣକ୍ଷେତ୍ରରେ ପରିଣତ କରିବା ପରେ ଏବେ ଅନ୍ୟ ମୁଣ୍ଡରେ ଦୋଷ ଲଗାଇବାରେ ବ୍ୟସ୍ତ ଓଡ଼ିଶା କଂଗ୍ରେସ । କେତେବେଳେ ବିଜେପି ତ ଆଉ କେତେବେଳେ ପୋଲିସ ମୁଣ୍ଡରେ ଅଠା ବୋଳିବାକୁ ହୀନ ପ୍ରୟାସ କରୁଛି କଂଗ୍ରେସ । ଆଜି କଂଗ୍ରେସର କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓଡ଼ିଶା ପୋଲିସ ଆରକ୍ଷୀ ମହାନିର୍ଦ୍ଦେଶକ ଓ ଭୁବନେଶ୍ୱର ଡିସିପିଙ୍କ ବିରୋଧରେ ଆଣିଛନ୍ତି ସ୍ୱାଧିକାର ଭଙ୍ଗ ନୋଟିସ୍ । ସେ ଲୋକସଭା ବାଚସ୍ପତିଙ୍କୁ ଏକ ଚିଠି ଲେଖିଛନ୍ତି । ଏ ନେଇ ସାଂସଦ ନିଜେ ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛନ୍ତି । ସେ ଚିଠିରେ ଉଲ୍ଲେଖ କରିଛନ୍ତି, ଗତ ୨୬ ତାରିଖ ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ଜଣେ ସାଂସଦ ହିସାବରେ ଓଡ଼ିଶା ବିଧାନସଭାକୁ ପ୍ରବେଶ କରୁଥିବାବେଳେ ପୋଲିସ ତାଙ୍କୁ ବେଆଇନ ଭାବେ ଅଟକ ରଖିଥିଲା । ସ୍ପଷ୍ଟ ଭାବରେ ନିଜର ପରିଚୟ ଦେବା ଏବଂ ବିଧାନସଭା ପରିସରରେ ପ୍ରବେଶ କରିବାର ମୋର ଗଣତାନ୍ତ୍ରିକ ଏବଂ ସାମ୍ବିଧାନିକ ଅଧିକାରକୁ ଦାବି କରିବା ସତ୍ତ୍ୱେ ମୋତେ ଜୋର ଜବରଦସ୍ତ ଓ ବେଆଇନ ଭାବେ ଭୁବନେଶ୍ୱର ରିଜର୍ଭ ଅଫିସର ପ୍ରାୟ ୩ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଅଟକ ରଖାଗଲା । ସଂସଦୀୟ କାର୍ଯ୍ୟ କରିବାରୁ ବାଧା ସୃଷ୍ଟି ହୋଇଥିବା ଅଭିଯୋଗରେ ଡିଜିପି ଓଡ଼ିଶା ଏବଂ ଡିସିପି ଭୁବନେଶ୍ୱରଙ୍କ ବିରୁଦ୍ଧରେ ସ୍ଵାଧିକାର ଭଙ୍ଗ ପ୍ରସ୍ତାବ ଆଗତ କରିଛନ୍ତି ।