ପୁରୀ ; ସାହିଯାତ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଆସନ୍ତା ୬ ତାରିଖରେ ପବିତ୍ର ଶ୍ରୀରାମ ନବମୀ ଠାରୁ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବ ପ୍ରସିଦ୍ଧ ସାହି ଯାତ । ପ୍ରଭୁ ଶ୍ରୀରାମଙ୍କ ଲୀଳା ଏବଂ କଥାବସ୍ତୁ କଳାକାରମାନେ ବିଭିନ୍ନ ଜାଗା ଆଖଡ଼ା, ସାହି ଓ ବଡ଼ଦାଣ୍ଡରେ ପରିବେଷଣ କରିବେ । ଏଣୁ ସାହିଯାତ ପାଇଁ ଚଳଚଞ୍ଚଳ ହୋଇପଡିଛି ଶ୍ରୀକ୍ଷେତ୍ର । ଏନେଇ ପୁରାତନ ଆଠ ସାହି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ବିଭିନ୍ନ ସାହିରେ ଥିବା ଜାଗା ଆଖଡ଼ା ପରିସରରେ ସାହି ଯାତ ପାଇଁ ସମସ୍ତ ପାରମ୍ପରିକ ନୃତ୍ୟ ଏବଂ ବାଦ୍ୟର ପ୍ରସ୍ତୁତି ଜୋରସୋରରେ ଚାଲିଛି । ପୁରୀର ପ୍ରସିଦ୍ଧ ସାହି ଯାତରେ ପ୍ରଭୁ ଶ୍ରୀରାମଙ୍କ କଥାବସ୍ତୁ ଅତି ଚମତ୍କାର ଭାବେ ପରିବେଷିତ ହୋଇଥାଏ । ଏହାସହିତ ରାମଲୀଳାର ପୌରାଣିକ କଥା ଉପରେ ଆଧାରିତ କଥାବସ୍ତୁ ଓ ପାରମ୍ପରିକ ବାଦ୍ୟନୃତ୍ୟରେ କମ୍ପିବ ପୁରୀର ଗଳି କନ୍ଦି ।
ତେବେ ସାହି ଯାତରେ ମୁଖ୍ୟ ଆକର୍ଷଣ ସଜିଥାନ୍ତି ରାବଣ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ର ହେଉଛି ବହୁ ପ୍ରାଚୀନ ସାଂସ୍କୃତିକ ପୀଠ । ଶ୍ରୀକ୍ଷେତ୍ରର ପ୍ରାଚୀନ ଆଠ ସାହି ପକ୍ଷରୁ କାହିଁ କେଉଁ କାଳରୁ ଶ୍ରୀରାମ ନବମୀ ଠାରୁ ପ୍ରଭୁ ଶ୍ରୀରାମଙ୍କ କଥାବସ୍ତୁ ଥିବା ସାହିଯାତ ଉତ୍ସବ ଅନୁଷ୍ଠିତ ହୋଇଆସୁଛି । ବର୍ଷ ପରେ ବର୍ଷ ବଦଳିଛି ସତ କିନ୍ତୁ ଶ୍ରୀକ୍ଷେତ୍ର ବାସୀ ତାଙ୍କ ପରମ୍ପରାକୁ ଭୁଲି ନାହାଁନ୍ତି । ଜାଗା ଆଖଡ଼ାର କଳାକାର ମାନେ ସାହିଯାତ ଅବସରରେ ପାରମ୍ପରିକ ନୃତ୍ୟ କଳା ପ୍ରଦର୍ଶନ କରିଥାନ୍ତି । ଏଥିସହ ଶ୍ରୀଜଗନ୍ନାଥଙ୍କ ରୀତିନୀତି ସହ ଜଡ଼ିତ ଥିବା ସାହିଯାତରେ ବାହାରୁଥିବା ଠାକୁରଙ୍କ ନୀତି ମଧ୍ୟ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ଅନୁଷ୍ଠିତ ହୋଇଥାଏ।
ସେପଟେ ସାହିଯାତ ଉତ୍ସବକୁ ସଫଳ କରିବା ପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ କୌଣସି ବିଶୃଙ୍ଖଳା ଯେଭଳି ନହୁଏ ସେନେଇ ବିଶେଷ ଧ୍ୟାନ ଦିଆଯାଇଛି ବୋଲି ପୁରୀ ଜିଲ୍ଲାପାଳ କହିଛନ୍ତି l