ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତାର ସଂଲଗ୍ନ ଅଞ୍ଚଳକୁ ଲାଗି ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେଇଛି । ଏହି ଅବପାତ ଘଣ୍ଟା ପ୍ରତି ୧୮ କିମି ବେଗରେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଅଗ୍ରସର ହେଉଛି । ବର୍ତ୍ତମାନ ଏହା ଗୋପାଳପୁର ଠାରୁ ଦକ୍ଷିଣ ଦକ୍ଷିଣପୂର୍ବ ଦିଗରେ ୧୬୦ କି.ମି, ପୁରୀଠାରୁ ୨୦୦ କି.ମି ଦକ୍ଷିଣରେ ଏବଂ ପାରାଦୀପଠାରୁ ୨୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ କେନ୍ଦ୍ରୀଭୂତ ରହିଛି କ୍ଷ ଗୁରୁବାର ସନ୍ଧ୍ୟା ସୁଦ୍ଧା ଏହା ଗୋପାଳପୁର ଆଖପାଖ ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।
ଆଞ୍ଚଳିକା ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ମୁତାବକ, ଗଭୀର ଅବପାତ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆଜି ଓ ଆସନ୍ତାକାଲି ପାଇଁ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ପ୍ରବଳ ବୃଷ୍ଟିପାତ ନେଇ ସତର୍କ ସୂଚନା ଜାରି କରାଯାଇଛି । ୭ଟି ଜିଲ୍ଲାକୁ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡ଼ିକ ହେଲା ପୁରୀ, ଗଜପତି, ରାୟଗଡ଼ା, କୋରାପୁଟ, ଗଞ୍ଜାମ, କଳାହାଣ୍ଡି ଓ କନ୍ଧମାଳ ।
ସେହିପରି ଆଉ ୧୬ଟି ଜିଲ୍ଲା ପାଇଁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଉକ୍ତ ଜିଲ୍ଲା ଗୁଡ଼ିକ ହେଲା- ମାଲକାନଗିରି. ନବରଙ୍ଗପୁର, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କଟକ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ମୟୁରଭଞ୍ଜ । ଏହା ସହିତ ୬ଟି ଜିଲ୍ଲାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେଗୁଡ଼ିକ ହେଲା ନୂଆପଡ଼ା, ବରଗଡ଼, ସମ୍ବଲପୁର, ଦେଓଗଡ଼, କେଉଁଝର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ।
ଏହି ସମୟରେ ଘଣ୍ଟା ପ୍ରତି ପବନର ବେଗ ୭୫ କିଲୋମିଟର ରହିବ । ସେହିପରି ଘଡ଼ଘଡ଼ି ସହିତ ବଜ୍ରପାତ ହେବାର ସମ୍ଭାବନା ରହିଛି । ଆଜି ଏବଂ ଆସନ୍ତାକାଲି ଦୁଇ ଦିନ ସମୁଦ୍ର ଭିତର ଅଶାନ୍ତରୁ ଅତି ଅଶାନ୍ତ ରହିବ । ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ କଟକଣା ଜାରି କରାଯାଇଛି ।
ଗଭୀର ଅବପାତ ପାଇଁ ପାରଦୀପ ବନ୍ଦର ଏବଂ ଗୋପାଳପୁର ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।
ଆସନ୍ତାକାଲିକୁ ଧିରେ ଧିରେ ବର୍ଷାର ପରିମାଣ କମିବ । କେବଳ ସୁନ୍ଦରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ଣ୍ଣିଂ ରହିଛି । ଅନ୍ୟ ସ୍ଥାନମନଙ୍କରରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଶନିବାରଠାରୁ ପାଗ ସମ୍ପର୍ଣ୍ଣ ଶୁଖିଲା ହୋଇଯିବ ।