ମାଲକାନଗିରି: ମାଲକାନଗିରିରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଏବେ ନୂଆ ଟୁଇଷ୍ଟ ଆସିଛି । ଏହା ଦୁଷ୍କର୍ମ ନୁହେଁ ବରଂ ଗଣଦୁଷ୍କର୍ମ ବୋଲି ସୂଚନା ଦେଇଛନ୍ତି ମାଲକାନଗିରି ଏସପି ବିନୋଦ ପାଟିଲ୍ । ଏହି ମାମଲାରେ ମଧ୍ୟ ପ୍ରଦେଶର ଟ୍ରକ୍ ଡ୍ରାଇଭର ସହିତ ୪ ଜଣଙ୍କୁ ଗିରଫ କରିଛି ।
ନାବାଳିକାଟି ଗୋଟିଏ ରାତିରେ ଦୁଇ ଦୁଇ ଥର ଦୁଷ୍କର୍ମର ଶୀକାର ହୋଇଛି । ଗଣଦୁଷ୍କର୍ମରୁ ପ୍ରାଣ ବଞ୍ଚାଇ ଆସିବା ପରେ ପୁଣି ଜଣେ ରାକ୍ଷସ ତାକୁ ମାଡ଼ି ବସିଥିଲା । ଏସପି ବିନୋଦ ପାଟିଲ ସାମ୍ବାଦିକ ସମ୍ମିଳନୀରେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି । ଏସପି କହିଛନ୍ତି, ନାବାଳିକାଟିକୁ ପ୍ରଥମେ ତିନି ଜଣ ବ୍ୟକ୍ତି ଗଣଦୁଷ୍କର୍ମ କରିଥିଲେ । ମନୋଜ ହରିଜନ, ରୋହିତ ହିଆଲ ଏବଂ ବୀର ଭରତିଆ ନାବାଳିକାକୁ ଏକୁଟିଆ ପାଇ ବଳାତ୍କାର କରିଥିଲେ । ନାବାଳିକାଟି ପ୍ରାଣ ବଞ୍ଚାଇ ସେଠାରୁ ଖସି ଆସିଥିଲା । କିନ୍ତୁ ବାଟରେ ଆଉ ଗୋଟିଏ ଜହ୍ଲାଦ ମୁହଁରେ ପଡ଼ିଥିଲା । ସେ ଥିଲା ମଧ୍ୟ ପ୍ରଦେଶର ଜଣେ ଟ୍ରକ୍ ଡ୍ରାଇଭର । ଉକ୍ତ ଟ୍ରକ ଡ୍ରାଇଭର ନାବାଳିକାଟି ଏକୁଟିଆ ଯାଉଥିବାରୁ ଦେଖି ଦୁଷ୍କର୍ମ କରିଥିଲା ।
ନାବାଳିକାକୁ ବିଜାଘାଟି ନିକଟରେ ଦୁଷ୍କର୍ମ କରିବା ସମୟରେ କିଛି ଲୋକ ଝିଅଟିକୁ ଉଦ୍ଧାର କରି ଡ୍ରାଇଭରକୁ କାବୁ କରି ପୋଲିସ ଜିମା ଦେଇଥିଲେ ।
ପୋଲିସ ନାବାଳିକାକୁ ପଚରାଉଚରା କରିବା ପରେ ପ୍ରକୃତ ସତ୍ୟ ପଦାକୁ ଆସିଥିଲା । ଏହା ପରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ପୀଡ଼ିତାଙ୍କୁ ଶକ୍ତି ସଦନ କେନ୍ଦ୍ରରେ ରଖାଯାଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ସ୍ଥିର ରହିଛି । ତାଙ୍କୁ ପରବର୍ତ୍ତୀ ସମୟରେ ପରିବାରକୁ ହସ୍ତାନ୍ତର କରାଯିବ ।
ପୋଲିସ ପୀଡ଼ିତାଙ୍କ ବୟାନ ରେକର୍ଡ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଛି । ଏହି ମାମଲାରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।