ଭୁବନେଶ୍ୱର: ନକଲି ଚାଷୀଙ୍କୁ ଚିହ୍ନଟ କରିବା ପାଇଁ ସରକାରଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ସବୁ ଚାଷୀଙ୍କର EKYC ହେବ । EKYC ମାଧ୍ୟମରେ ନକଲି ଚାଷୀ ଚିହ୍ନଟ ହୋଇ ପାରିବେ । ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଖରିଫ ଧାନ ବିକିବାକୁ ପଞ୍ଜୀକରଣ ବେଳେ e-KYC କରାଯିବ । ଚାଷୀ ଫିଙ୍ଗର ପ୍ରିଣ୍ଟ ସହ ଆଖି ସ୍ପାନ କରାଇବେ । ଯାହାଫଳରେ ଯେଉଁ ନକଲି ଚାଷୀ ସରକାରଙ୍କର ବିଭିନ୍ନ ସୁବିଧା ପାଉଥିବେ ସେମାନେ ବଞ୍ଚିତ ହେବେ । ଦଲାଲି ରୋକିବାକୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ପଞ୍ଜୀକରଣ ପ୍ରକ୍ରିୟା ଗତ ୧୯ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଚାଷୀ ପଞ୍ଜୀକରଣକୁ ନେଇ ସରକାର ସରଳୀକରଣ କରିଛନ୍ତି । ବାପା କି ଜେଜେବାପାଙ୍କ ନାମରେ ଜମି ଥିଲେ ପୁଅମାନେ ବି ପଞ୍ଜୀକରଣ କରିପାରିବେ । ଯେଉଁ ପୁଅ ଯେତେ ଜମି ଚାଷ କରୁଥିବେ ସେତିକି ଜମିର ପଞ୍ଜୀକରଣ କରିପାରିବେ । ଯଦି ଜଣେ ଭାଇ ସବୁ ଜମି ଚାଷ କରୁଛି ତେବେ ତାଙ୍କୁ ଅନ୍ୟ ଭାଇମାନଙ୍କର ଲିଖିତ ସ୍ୱୀକୃତିନାମା ପଞ୍ଜୀକରଣ ସମୟରେ ଦାଖଲ କରିବେ ବୋଲି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ଚାଷୀମାନଙ୍କୁ ସରକାରଙ୍କର ବିଭିନ୍ନ ଯୋଜନାରେ ସାମିଲ କରାଇବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଯେମିତି ଚାଷୀମାନେ କିଛି ସୁବିଧାର ବଞ୍ଚିତ ନ ହୋଇ ସମସ୍ତ ସୁବିଧା ପାଇପାରିବେ ।