ଜଗତସିଂହପୁର: ଛାତ୍ରୀ ନିର୍ଯ୍ୟାତନା ଅଭିଯୋଗରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ କୁର୍ତ୍ତାଙ୍ଗ ସ୍ଥିତ ସ୍ଵାମୀ ଅରୁପାନନ୍ଦ ଜୁନିଅର କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ଓ ଗଣିତ ଅଧ୍ୟାପକ ଶାଶ୍ବତ ମହାନ୍ତିଙ୍କୁ ନିଲମ୍ବନ କରାଯାଇଛି। ଜିଲ୍ଲାପାଳଙ୍କ ଜରିଆରେ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ ପକ୍ଷରୁ ଏହି ନିର୍ଦ୍ଦେଶନାମା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଗତ ଜାନୁଆରୀ ମାସରେ କଲେଜର ଜନୈକା ଛାତ୍ରୀ ଗଣିତ ଅଧ୍ୟାପକ ଶ୍ବାଶତ ମହାନ୍ତିଙ୍କ ବିରୁଦ୍ଧରେ ଅସଦ ଆଚରଣ ନେଇ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ। ଛାତ୍ରୀଙ୍କ ଅଭିଯୋଗ ଅନୁଯାଇ କଲେଜ ଅଧ୍ଯକ୍ଷ ଏକ କମିଟି ଗଠନ କରି ସମ୍ପୃକ୍ତ ଅଧ୍ୟାପକ ଙ୍କୁ ସୋକଜ ନୋଟିସ ମାଗିଥିଲେ। କମିଟି ମଧ୍ଯ ଏ ସମ୍ପର୍କରେ ତଦନ୍ତ କରି ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ।ଗତ ୨ ଏପ୍ରିଲ ୨୦୨୫ ରେ ଛାତ୍ରୀ ଜଣକ ଅଧ୍ଯକ୍ଷଙ୍କୁ ଏକ ଲିଖିତ ଦରଖାସ୍ତ ପ୍ରଦାନ କରିଥିଲେ। ସେଥିରେ ଅଧ୍ୟାପକ ତାଙ୍କର ଭୁଲ ବୁଝିପାରି କ୍ଷମା ପ୍ରାର୍ଥନା କରିଥିବା ଏବଂ ଆପୋଷ ସମାଧାନ ହୋଇଥିବା ସମ୍ପର୍କରେ ଦର୍ଶାଇଥିଲେ।
ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ଅଭିଯୋଗ ପ୍ରକୋଷ୍ଠରେ ଏ ନେଇ ଅଭିଯୋଗ ହୋଇଥିଲା। ଜିଲ୍ଲାପାଳଙ୍କ ପକ୍ଷରୁ ଅଧକ୍ଷ ସାହୁଙ୍କୁ ୩ ଦିନ ମଧ୍ୟରେ ଘଟଣା ସମ୍ପର୍କିତ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଅଧ୍ଯକ୍ଷ ରମେଶ ସାହୁଙ୍କ ରିପୋର୍ଟ ସନ୍ତୋଷ ଜନକ ନଥିବାରୁ ଉଭୟ ଅଧ୍ଯକ୍ଷ ଓ ଅଧ୍ୟାପକଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।