ବାଲେଶ୍ୱର: ଫକୀର ମୋହନ ମହାବିଦ୍ୟାଳୟର ସୌମାଶ୍ରୀ ବିଶି ମୃତ୍ୟୁ ମାମଲାରେ ଜାରି ରହିଛି କ୍ରାଇମବ୍ରାଞ୍ଜ ତଦନ୍ତ । ବିଭିନ୍ନ ଦିଗକୁ ନେଇ ତନାଘନା ଚାଲୁଥିବା ବେଳେ ୬ ଦିନ ଧରି ତଥ୍ୟ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି କ୍ରାଇମବ୍ରାଞ୍ଚ । ଏହାରି ଭିତରେ ଏବେ କ୍ରାଇମବ୍ରାଞ୍ଚ ହାତରେ ବଡ଼ ସୁରାକ୍ ଲାଗିଛି ।
ରବିବାର ଏବଂ ସୋମବାର ୨ ଦିନ ଧରି କ୍ରାଇମବ୍ରାଞ୍ଚର ଟିମ୍ ଘଟଣା ଦିନ ଯେଉଁ ଛାତ୍ରଛାତ୍ରୀ ମାନେ କଲେଜରେ ବିକ୍ଷୋଭ କରିବାକୁ ଆସିଥିଲେ, ସେଇ ଛାତ୍ରଛାତ୍ରୀଙ୍କୁ ୱାନ-ଟୁ ୱାନ୍ କରି ପଚରାଯାଇଛି । ଏଥିସହ କ୍ରାଇମବ୍ରାଞ୍ଚ ହାତରେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି । ଯେହେତୁ ତଦନ୍ତ ଚାଲିଛି, ତେଣୁ ତଦନ୍ତ ବାଧା ଉପୁଜିବା ଆଶଙ୍କାରେ ତାହା ପ୍ରକାଶ କରାଯାଇନାହିଁ ।
ରବିବାର ଫକୀର ମୋହନ ମହାବିଦ୍ୟାଳୟରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ପହଞ୍ଚି ଡିଆଇଜି ଡା. ସତ୍ୟଜିତ ନାୟକଙ୍କ ସହ ଆଲୋଚନା କରିଥିଲେ। ଏହା ପରେ ମହାବିଦ୍ୟାଳୟରେ ପହଞ୍ଚି ଛାତ୍ରୀଜଣକ ଆତ୍ମାହୁତି ଦେଇଥିବା ସ୍ଥାନ ବୁଲି ଦେଖିଥିଲେ। ଅଧ୍ୟକ୍ଷଙ୍କ କାର୍ୟ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଫିରୋଜ ପାଢ଼ୀଙ୍କ ସହ କଥା ହୋଇ ଘଟଣାର ବିଭିନ୍ନ ଦିଗ ସମ୍ପର୍କରେ ପଚାରି ବୁଝିଥିଲେ। ଏହି ସମୟରେ ICC ରିପୋର୍ଟରେ ସାଂଘାତିକ ଖୁଲାସା ହୋଇଛି। ଯାହା ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କୁ ଦାୟୀ କରାଯାଇଛି । ରିପୋର୍ଟରେ ସମୀର ସାହୁଙ୍କୁ କ୍ଲିନଚିଟ ଦିଆଯାଇଛି। ପୀଡିତା କରିଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ ବୋଲି ଆଇସିସି କହିଛି। ଏହି ରିପୋର୍ଟକୁ ଦେଖିଲେ ଜଣାପଡୁଛି, ପୂରା କଲେଜ ଗୋଟିଏ ପଟେ ଅନ୍ୟପଟେ ଏକା ହୋଇ ଯାଇଥିଲେ ଛାତ୍ରୀ। ଫେବର ମାଗିବା କଥା ନେଇ ପୀଡିତା ଛାତ୍ରୀ ଅଭିଯୋଗ କରିଥିଲେ। ଯାହା ପରେ ଆଇସିସି କମିଟି ଗଠନ କରାଯାଇ ତଦନ୍ତ କରିଥିଲା।
ଆଇସିସି ରିପୋର୍ଟରେ ରହିଥିଲା କଣ?
- ପୀଡ଼ିତାଙ୍କୁ ଫେଭର ମାଗିବା କଥା, କୌଣସି ବୟାନ ବା ଦୃଷ୍ଟିକୋଣରୁ ସାବ୍ୟସ୍ତ ହୋଇନାହିଁ।
- ଏହି ଘଟଣା ପରେ ମଧ୍ୟ ପୀଡ଼ିତା ସମୀର ସାରଙ୍କ ପାଖକୁ ନୋଟ ଆଣିବାକୁ ଯାଇଛନ୍ତି ଓ ଆଦୌ ଅସୁରକ୍ଷିତ ମନେ କରିନାହାଁନ୍ତି ।
- ମେସରେ ଥିବା ବେଳେ ରାତି ୧୦ରେ କାହା ସହ କଥା ହୋଇ ଜୋରରେ କାନ୍ଦନ୍ତି ଓ ଅନ୍ୟ ଅନ୍ତେବାସୀଙ୍କୁ ଅସୁବିଧାରେ ପକାନ୍ତି ।
- ସେ ଦିନ ୨ଟା ବେଳେ ବିଛଣାରୁ ଉଠନ୍ତି, ତେଣୁ କ୍ଲାସ କରିପାରନ୍ତି ନାହିଁ ।
- ବିଭାଗୀୟ ମୁଖ୍ୟଙ୍କୁ ଦରଖାସ୍ତ ନଦେଇ କ୍ଲାସରୁ ଅନୁପସ୍ଥିତ ରୁହନ୍ତି, ତେଣୁ ଉପସ୍ଥାନ କମ ରୁହେ ।
- ନିର୍ଯାତନା ନେଇ ପ୍ରମାଣ କମିଟିର ହସ୍ତଗତ ହୋଇନାହିଁ, ତେଣୁ ଏହା ଭିତ୍ତିହୀନ
ଆଇସିସି ରିପୋର୍ଟରେ ସେକ୍ସୁଆଲ୍ ହାରାସମେଣ୍ଟ ସମ୍ପର୍କରେ କୌଣସି ତଥ୍ୟ ନଥିବା ହୁଏତ ଏହା ପୀଡ଼ିତାଙ୍କୁ ଖୁବ୍ ବାଧିଥିବ । ସେପଟେ ସିସିଟିଭି ଫୁଟେଜ୍ ଯାହା ଦର୍ଶାଉଛି- ଛାତ୍ରୀ ଜଣକ ଜଳି ଯାଉଥିବାବେଳେ ସେଠି ଉପସ୍ଥିତ ଥିବା ଦୁଇଜଣ ଝିଅ ଡରି ପଳାଇଥିଲେ ଏବଂ ଜଣେ ଛାତ୍ର ମୋବାଇଲରେ ଭିଡ଼ିଓ ଉତ୍ତୋଳନ କରୁଥିଲେ, ଛାତ୍ରୀ ଜଣକୁ ଜଳି ଯାଉଥିବା ଦେଖି ହଠାତ୍ ଦୌଡ଼ି ଆସିଥିଲେ ପ୍ରିନସିପାଲଙ୍କ ରୁମ୍ ରୁ କିଛି କର୍ମଚାରୀ, ହେଲେ ଜଳନ୍ତା ଛାତ୍ରୀଙ୍କୁ ଦେଖୁଥିଲେ ବି ନିଆଁ ଲିଭାଇବାକୁ ସାମାନ୍ୟତମ ଚେଷ୍ଟା କରିନଥିଲେ, ଏହା ଘଟଣା ପଛରେ ଷଡ଼ଯନ୍ତ୍ର ଥିଓରୀକୁ ନେଇ ପ୍ରଶ୍ନ ଉଙ୍କି ମାରୁଛି । ତେଣୁ କ୍ରାଇମବାଞ୍ଚ ରିପୋର୍ଟରୁ କଣ ସତ ସାମ୍ନାକୁ ଆସିବ ତାକୁ ନେଇ ସାରା ରାଜ୍ୟବାସୀ ଅପେକ୍ଷା କରି ରହିଛନ୍ତି ।