କଟକ : ରେଭେନ୍ସାର ୧୦ ଛାତ୍ରଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର। ରେଭେନ୍ସା ବିଶ୍ଵ ବିଦ୍ୟାଳୟରେ ରାଗିଂ ଅଭିଯୋଗ ଆସିବା ପରେ କର୍ତ୍ତୃପକ୍ଷ ୧୦ଜଣ ହଷ୍ଟେଲ ଛାତ୍ରଙ୍କୁ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ନିଲମ୍ବନ କରିଥିଲେ। ଆଣ୍ଟି ରାଗିଂ ସେଲର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଏହି ଘଟଣାକୁ ଅସ୍ଵୀକାର କରି ଉଭୟ ଗୋଷ୍ଠୀର ଛାତ୍ର ମାନେ ଧାରଣା ଦେଇଥିଲେ। ଆଜି ହଷ୍ଟେଲ ଓ୍ବାଡେନ୍ ନିଲମ୍ବନ ପ୍ରତ୍ୟାହାର ନେଇ ନିର୍ଦେଶ ଜାରି କରିଛନ୍ତି।
ସୂଚନାଯୋଗ୍ୟ ଗତ ଶୁକ୍ରବାର ଦିନ ପ୍ରଥମ ବର୍ଷର ଛାତ୍ରମାନେ ନୂଆ କରି ହଷ୍ଟେଲ ଆସିଛନ୍ତି । ଶନିବାର ବିଳମ୍ବିତ ରାତି ପ୍ରାୟ ସାଢେ ୧୨ଟାରେେ ତୃତୀୟ ବର୍ଷ ଅନ୍ତେବାସୀମାନେ ପ୍ରଥମ ବର୍ଷର ପ୍ରାୟ ୧୫ ଜଣ ଅନ୍ତେବାସୀଙ୍କୁ ଡାକିଥିଲେ । ଏହି ପିଲାମାନଙ୍କୁୁ ଗୀତ ଗାଇବା, ନାଚ କରିବା, ଖରାପ ଭାଷା କହିବାକୁ ବାଧ୍ୟ କରିଥିଲେ ସିନିଅର ଛାତ୍ର । ଏହା ଦେଖି ସେମାନେ ଭୟଭୀତ ହୋଇ ପଡିଥିଲେ । ଏହା ଦେଖି ହଷ୍ଟେଲ ୱାର୍ଡେନ ଘଟଣାସ୍ଥଳକୁ ଆସି ସିନିଅର ଛାତ୍ର ଏପରି ନ କରିବାକୁ ବାରଣ କରିଥିଲେ । ହେଲେ ତାଙ୍କ କଥା କେହି ଶୁଣି ନଥିଲେ।
ସ୍ଥିତି ଅଣାୟତ ହେବାରୁ ୱାର୍ଡେନ ଅନ୍ୟ ଅଧ୍ୟାପକଙ୍କୁ ଡାକି ଥିଲେ । ଅନ୍ୟ ଅଧ୍ୟାପକମାନେ ଆସିବା ପରେ ପ୍ରଥମ ବର୍ଷର ଛାତ୍ରମାନଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ରୁମକୁ ପଠା ଯାଇଥିଲା । ଅଭିଯୋଗ କ୍ରମେ ରେଭେନ୍ସା କର୍ତ୍ତୃପକ୍ଷ ବିଶୃଙ୍ଖଳା ସୃଷ୍ଟି କରିଥିବା ଛାତ୍ରମାନଙ୍କୁ ତୁରନ୍ତ ହଷ୍ଟେଲ ଛାଡ଼ିବାକୁ ରବିବାର ସଂଧ୍ୟାରେ ନିର୍ଦ୍ଦେଶ ଦେଇଥିଲେ ।
ଏହାପରେ ନିଲମ୍ବିତ ଛାତ୍ର ଧାରଣାରେ ବସିବା ସହ ବିନା ପ୍ରମାଣରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଥିଲେ । ଏମିତିକି ରାଗିଂ ହୋଇଥିବା ଛାତ୍ର ମାନେ ମଧ୍ୟ ଗଣମାଧ୍ୟମ ସମ୍ମୁଖରେ ସେଭଳି କିଛି ଘଟିନାହିଁ ବୋଲି କହିଥିଲେ । ଘଟଣା ପ୍ରତିବାଦରେ କୁଳପତିଙ୍କ କାର୍ଯ୍ୟାଳୟର ଆଗରେ ପ୍ରଥମବର୍ଷ ଓ ତୃତୀୟ ବର୍ଷ ଇଷ୍ଟ ହଷ୍ଟେଲ ୟୁଜି ଛାତ୍ରମାନେ ଧାରଣା ଦେଇଥିଲେ । ରାଗିଂ ଘଟଣାରେ ଆମକୁ ରାଗିଂ ଅଭିଯୋଗ ପାଇଁ ବାଧ୍ୟ କରାଯାଉଛି ବୋଲି କହିଥିଲେ ସଂପୃକ୍ତ ଛାତ୍ର ।
ସେହି ଘଟଣାରେ ତଦନ୍ତ କରିବା ପରେ ଏବେ ଛାତ୍ରଙ୍କ ଉପରୁ ନିଲମ୍ବନ ଉଠିଇ ଦିଆଯାଇଛି ।