ଭୁବନେଶ୍ୱର: ବିରୋଧୀ ଦଳ ନେତା ଆସନରେ ବସିବା ପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଆକ୍ଟିଭ୍ ହୋଇଯାଇଛନ୍ତି । ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କରୁଛନ୍ତି ଟାର୍ଗେଟ୍ । କିନ୍ତୁ ଭଲ ଭାବେ ଅବଗତ ନ ହୋଇ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକକୁ ନେଇ କରିଥିବା ପୋଷ୍ଟ ଏବେ ତାଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବହୁତ ଭଲ ଭାବେ ନବୀନଙ୍କୁ ବୁଝାଇ ଦେଇଛନ୍ତି ।
ମୁକେଶ ମହାଲିଙ୍ଗ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ ଏକ୍ସରେ ନବୀନଙ୍କୁ ଜଣାଇ ଦେଇଛନ୍ତି ଯେ ପାଠ୍ୟପୁସ୍ତକରୁ 'ପାଇକ ବିଦ୍ରୋହ'କୁ ବାଦ ଦିଆଯାଇନାହିଁ । ଏହା ସାମାଜିକ ବିଜ୍ଞାନ ପୁସ୍ତକର ଦ୍ୱିତୀୟ ଭାଗରେ ଶୀଘ୍ର ପ୍ରକାଶ ପାଇବ ବୋଲି ଗତକାଲି ଏନସିଇଆରଟି ସ୍ପଷ୍ଟୀକରଣ ଦେଇଛି । ମାତ୍ର ନିଜର ରାଜନୈତିକ ଆଶା ପୂରଣ ପାଇଁ ଏଭଳି ମିଥ୍ୟା ଟୁଇଟ୍ ଜରିଆରେ ଓଡ଼ିଶାବାସୀଙ୍କୁ ଭ୍ରମିତ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି କହିଛନ୍ତି ମୁକେଶ ।
ସେହିପରି ସୁଜିତ ଦାସ ମଧ୍ୟ ଯେ ଅତି ବ୍ୟଙ୍ଗାତ୍ମକ ଶୈଳୀରେ ନବୀନଙ୍କୁ ଜବାବ ଦେଇଛନ୍ତି । ସେ କହିଛନ୍ତି “ନବୀନ ବାବୁ ଓଡ଼ିଆ ପଢ଼ି ପାରୁନାହାନ୍ତି, କିନ୍ତୁ ଇଂରାଜୀ ଉପରେ ଅଧିକ ଜ୍ଞାନ ରଖିଛନ୍ତି । ବୋଧହୁଏ ଆପଣଙ୍କୁ ଉକ୍ତ ପ୍ରେସ ବିଜ୍ଞପ୍ତିରୁ ଦୂରେଇ ରଖାଯାଇଛି । ଆପଣଙ୍କ ଭଳି ବ୍ୟକ୍ତିତ୍ୱ ଏଭଳି ବିଭ୍ରାନ୍ତମୂଳକ ବକ୍ତବ୍ୟରୁ ଦୂରେଇ ରହିବା ଉଚିତ୍।”
ଆଜି ନବୀନ ପଟ୍ଟନାୟକ ଏକ ପୋଷ୍ଟରେ କହିଥିଲେ ଯେ ପାଇକ ବିଦ୍ରୋହକୁ ପାଠ୍ୟ ପୁସ୍ତକରୁ ବାଦ ଦେବା ଅତ୍ୟନ୍ତ ଦୁଃଖଦ ବିଷୟ । ତେଣୁ ପାଇକ ବିଦ୍ରୋହ ଏବଂ ଓଡ଼ିଶାକୁ ନ୍ୟାୟ ଦେବାକୁ ନବୀନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରିଥିଲେ ।
ତେବେ ଏଠାରେ ପ୍ରକାଶ ଯୋଗ୍ୟ, ଏନସିଇଆରଟି ଦ୍ୱାରା ସଦ୍ୟ ପ୍ରକାଶିତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ "ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଏଣ୍ଡ୍ ବିୟଣ୍ଡ" ପୁସ୍ତକର “ଦ କଲୋନିଆଲ ଏରା ଇନ୍ ଇଣ୍ଡିଆ” ଅଧ୍ୟାୟରେ ଓଡ଼ିଶାର ପାଇକ ବିଦ୍ରୋହକୁ ବାଦ୍ ଦିଆଯାଇଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ମାତ୍ର ଗତକାଲି ଏନସିଇଆରଟି ଏକ ପ୍ରେସ୍ ବିବୃତ୍ତି ଜରିଆରେ ଏହି ଦ୍ୱନ୍ଦ୍ୱକୁ ଦୂର କରିଥିଲା । ସଦ୍ୟ ପ୍ରକାଶିତ ଅଷ୍ଟମ ଶ୍ରେଣୀର ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ "ଏକ୍ସପ୍ଲୋରିଂ ସୋସାଇଟି: ଇଣ୍ଡିଆ ଏଣ୍ଡ୍ ବିୟଣ୍ଡ" ପ୍ରଥମ ଖଣ୍ଡ ଅଟେ । ଖୁବ ଶୀଘ୍ର ଏହାର ଦ୍ୱିତୀୟ ଖଣ୍ଡ ପ୍ରକାଶ ପାଇବାକୁ ଯାଉଛି, ଯାହାକି ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ରହିଛି । ଚଳିତ ଶିକ୍ଷା ବର୍ଷର ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଦ୍ୱିତୀୟ ଖଣ୍ଡ ପ୍ରକାଶ ପାଇବ । ଯେଉଁଥିରେ ଆଞ୍ଚଳିକ ଆନ୍ଦୋଳନ ତଥା ସଶସ୍ତ୍ର ବିଦ୍ରୋହକୁ ସ୍ଥାନିତ କରାଯାଇଛି । ଯେପରିକି ପାଇକ ବିଦ୍ରୋହ/ ଓଡ଼ିଶାର ଖୋର୍ଦ୍ଧା ଆନ୍ଦୋଳନ ଏବଂ କୁକା ଆନ୍ଦୋଳନ/ପଞ୍ଜାବରେ ଶିଖ ବିଦ୍ରୋହ ଇତ୍ୟାଦି ବିଷୟଗୁଡ଼ିକ ଉପରେ ଆଲୋଚନା କରାଯିବ ।