ଭୁବନେଶ୍ୱର: ଛାତ୍ରୀ ଆତ୍ମଦାହ ମାମଲାରେ ଚିତ୍କାର କରୁଥିବା ରାଜ୍ୟ କଂଗ୍ରେସ ଏବେ ଚୁପ ହୋଇଯାଇଛି । ଛାତ୍ର କଂଗ୍ରେସ ସଭାପତି ଗିରଫ ହେବା ପରେ ଏବେ ବିରୋଧୀଙ୍କୁ ଘେରିଛି ବିଜେପି ଯୁବ ମୋର୍ଚ୍ଚା । ଜଣେ ଅପରାଧୀ ଶ୍ରେଣୀର ବ୍ୟକ୍ତିଙ୍କୁ କଂଗ୍ରେସ ଦଳ ସଭାପତି ଆସନରେ ବସାଇ ଥଇଥାନ କରିଛି । ଜଣେ ଅପରାଧ କଲା, ତେଣୁ ନୈତିକତା ଦୃଷ୍ଟିରୁ ପିସିସି ସଭାପତି ଭକ୍ତ ଦାସ ଇସ୍ତଫା ଦେବେ କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସକୁ ଶାଣିତ ସ୍ୱରରେ ସମାଲୋଚନା କରିଛନ୍ତି ଅଭିଳାଷ । ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଯିଏ ଗିରଫ ହୋଇଛନ୍ତି ସିଏ ହେଉଛନ୍ତି ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନ । କିଛି ଦିନ ତଳେ ଉଦିତ ପ୍ରଧାନ ମହିଳା ସୁରକ୍ଷା ପାଇଁ ରାଜରାସ୍ତାରେ କୁମ୍ଭୀର କାନ୍ଦଣା କାନ୍ଦି ରାସ୍ତା ଫଟାଇ ଦେଉଥିଲେ, ମୁଖ୍ୟମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିଲେ, ତାଙ୍କର ଅସଲମୁଖା ଆଜି ରାଜ୍ୟବାସୀଙ୍କ ସାମ୍ନାରେ ଖୋଲିଯାଇଛି । କିନ୍ତୁ କଂଗ୍ରେସ ଆଜି କେବଳ ନିଲମ୍ବନ କରି କପଡ଼ାରେ ଲାଗିଥିବା ଦାଗକୁ ଛଡ଼ାଇବାକୁ ଚେଷ୍ଟା କରିଛି । କଂଗ୍ରେସର ଏ ଦୋମୁହାଁ ନୀତି ବୋଲି କହିଛନ୍ତି ଅଭିଳାଷ ପଣ୍ଡା ।
ବିଜେପି ଯୁବ ସଭାପତି କଂଗ୍ରେସକୁ ପ୍ରଶ୍ନ ବାଣରେ ଘାଇଲା କରିଛନ୍ତି । ଉଦିତ ପ୍ରଧାନଙ୍କ ନାଁରେ, ଡକାୟତି, ମାଡ଼ ମାରିବା ଏବଂ ଠକେଇ କରି ଟଙ୍କା ହଡ଼ପ କରିବା ଭଳି ସଙ୍ଗୀନ ମାମଲା ଥିବାବେଳେ ମାତ୍ର ତିନି ମାସ ମଧ୍ୟରେ କଂଗ୍ରେସ ସଭାପତି ଦାୟିତ୍ୱ ଦେଇଥିଲା । ୨୦୨୪, ମେ ୨୭ ତାରିଖରେ ଖଣ୍ଡଗିରି ଥାନାରେ ଏହି ମାମଲା ଆସିଥିଲା । ମାତ୍ର ପୁରସ୍କାର ଦେଇ ଉଦିତ ଭଳି ଅପରାଧୀକୁ ଥଇଥାନ କରିଥିଲା । ୨୦୨୪, ଅଗଷ୍ଟ ୧୩ ତାରିଖରେ ତାଙ୍କୁ କଂଗ୍ରେସ କାହିଁକି ସଭାପତି ଦାୟିତ୍ୱ ଦେଇଥିଲା ? ବାଲେଶ୍ୱର ଏଫ୍.ଏମ୍. କଲେଜ ମାମଲାରେ ପିସିସି ସଭାପତି ଭକ୍ତ ଚରଣ ଦାସ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ଜଣେ ଭୁଲ କଲେ ଆଉ ଜଣେ ଇସ୍ତଫା ଦେବେ । ତେଣୁ ଅଭିଳାଷଙ୍କ ପ୍ରଶ୍ନ, ଭକ୍ତ ଦାସ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବେ କି ? ଭକ୍ତ ଦାସ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଠିକ୍ କି ଭୁଲ ?
ସେହିପରି କଂଗ୍ରେସର କଳା ଇତିହାସକୁ ରାଜ୍ୟବାସୀଙ୍କୁ ମନେ ପକାଇ ଦେଇଛି ବିଜେପି ଯୁବ ମୋର୍ଚ୍ଚା । ଅଞ୍ଜନା ଦାସ, ଛବିରାଣୀ ହତ୍ୟା କାଣ୍ଡକୁ ତତ୍କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀ ଲୁଚାଇ ଦେଇଥିଲେ । ଏପରିକି ତାଙ୍କର ନିଜ ଦଳ ଯୁବା ନେତା ଶୁଶୀଲ ଶର୍ମା ନିଜ ପତ୍ନୀ ନୈନା ସାହାଣୀଙ୍କୁ ମାରି, ଟିକ୍ ଟିକ୍ କରି କାଟି ତନ୍ଦୁରୀରେ ପୋଡ଼ିବାକୁ ଉଦ୍ୟମ କରିଥିଲେ । ତେଣୁ ଆଜିର କଂଗ୍ରେସ ଯୁବ ନେତାମାନେ ଏହା ଜାଣିବା ଅତ୍ୟନ୍ତ ଆବଶ୍ୟକତା ରହିଛି । କଂଗ୍ରେସର ବଳାତ୍କାର ମାମଲାକୁ ତାଙ୍କର କମାଣ୍ଡରମାନେ ଆଗକୁ ନେଉଛନ୍ତି ବୋଲି କହି ସମାଲୋଚନା କରିଛନ୍ତି ଅଭିଳାଷ ପଣ୍ଡା ।