ନୂଆଦିଲ୍ଲୀ: ପଞ୍ଜାବରେ ଆମ ଆଦମୀ ପାର୍ଟୀକୁ ଶକ୍ତ ଝଟକା ଲାଗିଛି । ବିଧାୟିକା ଅନମୋଲ ଗଗନ ମାନ ବିଧାୟକ ପଦରୁ ଇସ୍ତଫା ଦେବା ସହିତ ରାଜନୀତିରୁ ସନ୍ନ୍ୟାସ ନେବାକୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି । ସେ ଖରଡ଼ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିଲେ ।
ଅନମୋଲ ଗଗନ ମାନ ଚାରି ଦିନ ପୂର୍ବରୁ ଆପ୍ ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀରେ ଭେଟିଥିଲେ । ଏହା ପରେ ଶନିବାର ସେ ନିଜର ସନ୍ନ୍ୟାସ ଘୋଷଣା କରିଛନ୍ତି । ସୋସିଆଲ ମିଡିଆ ଆକାଉଣ୍ଟ ଏକ୍ସରେ ସୂଚନା ଦେଇଛନ୍ତି ଯେ ବହୁତ ଦୁଃଖର ସହିତ ରାଜନୀତି ଛାଡ଼ିବାକୁ ନିଷ୍ପତ୍ତି ନେଇଛି । ସେ ନିଜର ଇସ୍ତଫା ପତ୍ର ବିଧାନସଭା ବାଚସ୍ପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ ଆପ୍ ଦଳକୁ ନିଜର ଶୁଭେଚ୍ଛା ଜଣାଇଛନ୍ତି । ତେବେ ଅନମୋଲଙ୍କ ଇସ୍ତଫା ଦଳ ପାଇଁ ଏକ ବହୁତ ବଡ଼ କ୍ଷତି ବୋଲି କୁହାଯାଉଛି । ପଞ୍ଜାବରେ ଆପର ସଙ୍ଗଠନକୁ ସୁଦୃଢ଼ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ଅନମୋଲ ଗଗନ ମାନ ଏକ ପଞ୍ଜାବୀ ଗାୟକ ଏବଂ ଅଭିନେତ୍ରୀ ଅଟନ୍ତି । ସେ ୨୦୨୦ରେ ଆପ ଦଳରେ ଯୋଗ ଦେଇଥିଲେ । ୨୦୨୨ ବିଧାନସଭା ନିର୍ବାଚନରେ ମୋହାଲୀର ଖରଡ଼ ଆସନରୁ ଟିକେଟ୍ ପାଇ ନିର୍ବାଚିତ ହୋଇଥିଲେ । ସେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ମଧ୍ୟ ଥିଲେ । ୨୦୨୪ ରେ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ହଟାଇ ଦିଆଯାଇଥିଲା ।