ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପ୍ରସଙ୍ଗକୁ ନେଇ ସୋମବାର ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି । ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେ ଏପ୍ରିଲ ୨୨ରେ ଘଟିଥିବା ଏହି ଆତଙ୍କୀ ହମଲାକୁ ନେଇ ସରକାରଙ୍କୁ କଡା ଶବ୍ଦରେ ପ୍ରଶ୍ନ କରିଛନ୍ତି । ଖଡଗେ ନିୟମ ୨୬୭ ଆଧାରରେ ଗୃହରେ ଆଲୋଚନାର ଦାବି କରି କହିଛନ୍ତି ଯେ, ପହଲଗାମ ଆତଙ୍କୀ ହମଲାର ଆତଙ୍କୀ ଏ ପର୍ଯ୍ୟନ୍ତ ନା ଧରା ପଡିଲେ ନା ନିପାତ ହେଲେ । ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମଧ୍ୟ ମାନିଛନ୍ତି ଯେ, ଏହା ଗୁଇନ୍ଦା ବିଫଳତା ଥିଲା ।
ଖଡଗେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବୟାନକୁ ନେଇ ସରକାରଙ୍କୁ ଘେରିଛନ୍ତି । ସେ କହିଛନ୍ତି ଟ୍ରମ୍ପ ୨୪ ଥର କହି ସାରିଲେଣି ଯେ, ତାଙ୍କର ହସ୍ତକ୍ଷେପ ଯୋଗୁଁ ହିଁ ଭାରତ ଓ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ସମ୍ଭବ ହୋଇ ପାରିଛି । ଏହା ଦେଶ ପାଇଁ ଅପମାନଜନକ । ଅପରେସନ ସିନ୍ଦୂରକୁ ନେଇ ସରକାର ଦୁନିଆକୁ ଯାହା ଜଣାଇଲେ ତାହା ଆମକୁ ଜଣାଇଲେ, ଦେଶବାସୀଙ୍କୁ ଜଣାଇଲେ । ଏହା ପରେ ତ ଆମକୁ ସୂଚନା ଦେବାର ଥିଲା ।
ମଲ୍ଲିକାର୍ଜୁନ ଖଡଗେଙ୍କ ଦାବି ଉପରେ ରାଜ୍ୟସଭାର ନେତା ଜେପି ନଡ୍ଡା କହିଛନ୍ତି, ଏହି ସନ୍ଦେଶ ଯିବା ଉଚିତ୍ ନୁହେଁ ଯେ ଅପରେସନ ସିନ୍ଦୂର ଉପରେ ଆପଣମାନେ ଆଲୋଚନା ଚାହୁଁ ନାହାନ୍ତି । ସରକାର ଏହା ଉପରେ ଆଲୋଚନା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ । ପ୍ରତିଟି ବିନ୍ଦୁ ଉପରେ ଆଲୋଚନା ହେବ । ଅପରେସନ ସିନ୍ଦୂରର ଆଠ ଦିନ ପରେ ଯାହା ଘଟିଛି, ତାହା ଦେଶ ସ୍ୱାଧୀନତା ପରେ କେବେ ଏମିତି ଅପରେସନ ଘଟି ନ ଥିଲା । ହେଲେ ବିରୋଧୀ ଦଳ ଇତିହାସ ଜାଣିବାକୁ ଚାହିଁବେ ନାହିଁ । ଏହା ପରେ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଫଳରେ ଗୃହକୁ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।