ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ପକ୍ଷରୁ ରବିବାର ସର୍ବଦଳୀୟ ବୈଠକ ଡକାଯାଇଛି । ବୈଠକରେ ବିରୋଧୀ ଦଳ ବିହାରରେ ମତଦାତା ସୂଚୀର ପୁନଃନିରୀକ୍ଷଣ ଓ ପହଲଗାମ ହମଲା ସହିତ ବିଭିନ୍ନ ପ୍ରସଙ୍ଗ ଉଠାଇଛନ୍ତି । ସରକାର ଗୃହ ସୁରୁଖୁରୁରେ ପରିଚାଳନା ପାଇଁ ବିରୋଧୀ ଦଳର ସହଯୋଗ ଲୋଡିଛନ୍ତି । ଆସନ୍ତାକାଲିଠୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେଉଛି ।
କେନ୍ଦ୍ର ମନ୍ତ୍ରୀ ତଥା ରାଜ୍ୟସଭାର ନେତା ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ରାଜନୈତିକ ଦଳଗୁଡିକର ନେତା ଯୋଗ ଦେଇଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଓ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ସରକାରଙ୍କ ତରଫରୁ ପ୍ରତିନିଧିତ୍ୱ କରିଥିଲେ । କଂଗ୍ରେସର ଗୌରବ ଗୋଗୋଇ ଓ ଜୟରାମ ରମେଶ, ଏନସିପି ଶରଦ ପାୱାରଙ୍କ ଗୋଷ୍ଠୀରୁ ସୁପ୍ରିୟା ସୁଲେ, ଡିଏମକେର ଟିଆରବାଲୁ, ବିଜେଡିରୁ ସସ୍ମିତ ପାତ୍ରଙ୍କ ସମେତ ଅନେକ ଦଳର ପ୍ରତିନିଧି ଯୋଗ ଦେଇଥିଲେ ।
ଏଥର ମୌସୁମୀ ଅଧିବେଶନ ବେଶ ସରଗରମ ହେବାକୁ ଯାଉଛି । ବିରୋଧୀ ଇଣ୍ଡିଆ ମେଣ୍ଟ ଏଥର ଅଧିବେଶନରେ ପହଲଗାମ ଆତଙ୍କୀ ହମଲା, ଅପରେସନ ସିନ୍ଦୂରକୁ ଅଚାନକ ସ୍ଥଗିତ ରଖାଯିବା, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟସ୍ଥତା, ବିହାରରେ ଭୋଟ ପରିଚୟ ପତ୍ରରର ନିରୀକ୍ଷଣ ସହ ଅନେକ ପ୍ରସଙ୍ଗରେ ବିରୋଧୀ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ।
ଜୁଲାଇ ୨୧ରୁ ଅଗଷ୍ଟ ୧୨ ତାରିଖ ପର୍ୟ୍ୟନ୍ତ ସଂସଦର ମୌସୁମୀ ଅଧିବେଶନ ଚାଲିବ । ସଂସଦୀୟ ବ୍ୟାପାର କ୍ୟାବିନେଟ କମିଟି ପକ୍ଷରୁ ରାଷ୍ଟ୍ରପତିଙ୍କୁ ପଠା ଯାଇଥିବା ସୁପାରିଶ ଅନୁସାରେ ସଂସଦର ମୌସୁମୀ ଅଧିବେଶନ ଜୁଲାଇ ୨୧ରୁ ଅଗଷ୍ଟ ୧୨ ତାରିଖ ପର୍ୟ୍ୟନ୍ତ ଚାଲିବ । ଏହି ଅଧିବେଶନ ବେଶ ସରଗରମ ରହିପାରେ ।
କେନ୍ଦ୍ରର ମୋଦୀ ସରକାର ସଂସଦର ଆଗାମୀ ମୌସୁମୀ ଅଧିବେଶନରେ ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କୁ ହଟାଇବା ପାଇଁ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁଙ୍କୁ ସମସ୍ତ ଦଳ ମଧ୍ୟରେ ସହମତି ସୃଷ୍ଟି କରିବାର ଦାୟିତ୍ୱ ଦିଆଯାଇଛି।
ପୂର୍ବରୁ ସଂସଦର ବଜେଟ ଅଧିବେଶନ ଦୁଇଟି ଭାଗରେ ଅନୁଷ୍ଠିତ ହେଉଥିଲା। ପ୍ରଥମ ଅଧିବେଶନ ଜାନୁଆରୀ ୩୧ ରେ ଆରମ୍ଭ ହୋଇ ୧୩ ଫେବୃଆରୀ ପର୍ୟ୍ୟନ୍ତ ଚାଲିଥିଲା। ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ଭାଗ ୧୦ ମାର୍ଚ୍ଚରେ ଆରମ୍ଭ ହୋଇ ଆଜି ଅର୍ଥାତ୍ ୪ ଏପ୍ରିଲରେ ଶେଷ ହୋଇଥିଲା।