ବାଲେଶ୍ୱର: ସାଂସଦ ହିସାବରେ ଯାହା ପଦକ୍ଷେପ ନେବା କଥା ନେଇଥିଲି । ଯଦି ଛାତ୍ରୀ ମୃତ୍ୟୁ ଘଟଣାରେ ମୋର ଭୁଲ ରହିଛି କିମ୍ବା ଚାପ ପ୍ରୟୋଗ କରୁଛି ବୋଲି ପ୍ରମାଣ କରିଦେବ ତାହା ହେଲେ ମୁଁ ଇସ୍ତଫା ଦେବାକୁ ପ୍ରସ୍ତୁତ ଅଛି । ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ମାମଲାରେ ବିରୋଧୀଙ୍କୁ ଏଭଳି ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ।
ଶନିବାର ବାଲେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଛାତ୍ରୀ ମୃତ୍ୟୁ ଘଟଣା ବାବଦରେ ପ୍ରତିକ୍ରିୟା ରଖିଛନ୍ତି ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ । ସେ କହିଛନ୍ତି ଜୁଲାଇ ୨ ତାରିଖ ଦିନ ବାଲେଶ୍ୱର ସର୍କିଟ୍ ହାଉସରେ ଥିବାବେଳେ ଛାତ୍ରୀ ଜଣକ ତାଙ୍କ କିଛି ସାଥିଙ୍କ ସହିତ ଅଭିଯୋଗ କରିବାକୁ ଆସିଥିଲେ । ସେ ଯୌନ ନିର୍ଯ୍ୟାତନା ନେଇ କୌଣସି ଅଭିଯୋଗ କରିନଥିଲେ । ସେ ଖାଲି କହିଥିଲେ ଏଚଓଡି ସମୀର ସାହୁ ତାଙ୍କୁ ଫେବର ମାଗୁଛନ୍ତି, ତାଙ୍କର ପ୍ରଥମ ଅଭିଯୋଗ ଥିଲା । ଦ୍ୱିତୀୟରେ ଉପସ୍ଥାପନା କମ ଥିବାରୁ ତାଙ୍କୁ ପରୀକ୍ଷା ବଞ୍ଚିତ କରାଯାଇଛି । ମାଙ୍କ ସ୍ୱାସ୍ଥ୍ୟ ସମସ୍ୟା ଏବଂ ଡିଫେନସ୍ ଟ୍ରେନର୍ ଥିବାରୁ ତାଙ୍କ ଉପସ୍ଥାପନା କମ୍ ରହିଛି । କିନ୍ତୁ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରାଯାଉଛି ବୋଲି ଛାତ୍ରୀ ଜଣକ ଅଭିଯୋଗ କରିଥିଲେ ।
ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, ଜଣେ ସାଂସଦ ହିସାବରେ ମୋର କର୍ତ୍ତବ୍ୟ ଥିଲା ଯେ ମୁଁ ତାଙ୍କୁ ଥାନାରେ ଅଭିଯୋଗ କରିବାକୁ କହିଥିଲି । କିନ୍ତୁ ଛାତ୍ରୀ ତାଙ୍କ ତରଫରୁ କହିଥିଲେ ପ୍ରିନ୍ସିପାଲ ବୁଝୁଛନ୍ତି । କଲେଜ ୭ ଦିନ ସମୟ ନେଇଛି । ସେହିପରି ସାଂସଦ ନିଜେ ଏସପି ଏବଂ ଅଧ୍ୟକ୍ଷଙ୍କ ସହିତ ଏକାଧିକବାର କଥା ହୋଇଥିଲେ । କିନ୍ତୁ ଛାତ୍ରୀ ଏତଲା ଦେଇ ନଥିଲେ । ପୋଲିସକୁ ଛାତ୍ରୀ କିଛି ଜଣାଇ ନ ଥିଲେ ବରଂ କଲେଜରେ ଛାତ୍ରଛାତ୍ରୀ ଆନ୍ଦୋଳନ କରୁଥିବାରୁ ଅଧ୍ୟକ୍ଷ ଫୋନ୍ କରିଥିଲେ । କଲେଜରେ ଆଇସିସି ଯାଞ୍ଚ କରୁଥିବାରୁ ଗୋଟେ ସ୍ୱୟଂଶାସିତ କଲେଜ ଭିତରେ ନିଜେ ପଶିବା ଉଚିତ ମନେ କରିନଥିଲେ ବୋଲି କହିଛନ୍ତି ସାଂସଦ ।
କିନ୍ତୁ ଯେଉଁମାନେ ଅଭିଯୋଗ କରୁଛନ୍ତି ସାଂସଦ ଚାପ ପ୍ରୟୋଗ କରୁଛନ୍ତି । ତେଣୁ ତାଙ୍କ ନାଁରେ ଏଫ୍ଆଇଆର୍ ଦେବା ସହିତ ଯେକୌଣସି ତଦନ୍ତକାରୀ ସଂସ୍ଥା ଏପରିକି ସିବିଆଇ ତଦନ୍ତ କରାନ୍ତୁ । ଯଦି ଚାପ ପ୍ରୟୋଗ କରୁଥିବା ପ୍ରମାଣିତ କରିଦେବେ ତେବେ ସେ ରାଜନୀତିରୁ ସନ୍ନ୍ୟାସ ନେଇଯିବେ ବୋଲି ଖୋଲାଖୋଲି କହିଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ ।