ଭୁବନେଶ୍ୱର: ଯୁବତୀଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଥିବା ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଅଡ଼ୁଆ ବଢ଼ିଛି । ଦୁଷ୍କର୍ମ ମାମଲାକୁ ଗଣଦୁଷ୍କର୍ମ ମାମଲାରେ ପରିବର୍ତ୍ତନ କରିଛି ମଞ୍ଚେଶ୍ୱର ଥାନା ପୋଲିସ । ଏହା ସହିତ ଉଦିତଙ୍କ ସହଯୋଗୀ ଆୟୁଷ୍ମାନ ସାହୁଙ୍କୁ ଗିରଫ କରାଯାଇଛି । ପୀଡ଼ିତା ଯୁବତୀ ଜଣକ ଆୟୁଷ୍ମାନଙ୍କ ବିରୋଧରେ ବୟାନ ଦେଇଛନ୍ତି ବୋଲି କହିଛି ପୋଲିସ ।
ଯୁବତୀଙ୍କ ଅଭିଯୋଗ ମୁତାବକ, ମାର୍ଚ୍ଚ ୧୮ ତାରିଖରେ ପୀଡ଼ିତା ଦୁଇ ଜଣ ସାଙ୍ଗଙ୍କ ସହିତ ମାଷ୍ଟରକ୍ୟାଣ୍ଟିନ ବୁଲିବାକୁ ଯାଇଥିବାବେଳେ ଉଦିତ ପ୍ରଧାନଙ୍କ ଦେଖା ହୋଇଥିଲା । ଏହା ପରେ ସମସ୍ତେ ଉଦିତଙ୍କ ଗାଡ଼ିରେ ବସି ନୟାପଲ୍ଲୀର ଏକ ହୋଟେଲକୁ ଯାଇଥିଲେ । ସେଠାରେ ତାଙ୍କୁ ମୃଦ୍ୟୁ ପାନୀୟରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ସେ ଏତଲାରେ ଦର୍ଶାଇଛନ୍ତି । ଉଦିତଙ୍କ ବିରୁଦ୍ଧରେ ଲାଗିଛି ସଙ୍ଗୀନ ଦଫା। ଦୁଷ୍କର୍ମ କରିବା ମାମଲାରେ ବିଏନ୍ଏସ୍ ୬୪(୧), ବିଷ ଦେଇ ହତ୍ୟା ଉଦ୍ୟମ ପାଇଁ ଦଫା ୧୨୩, ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ପାଇଁ ଦଫା ୨୯୬ ଓ ଟଣା ଓଟରା କରିବା ଅଭିଯୋଗରେ ଦଫା ୭୪ ଲାଗିଛି ।