ନୂଆଦିଲ୍ଲୀ: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଅପ୍ରତ୍ୟାଶିତ ଇସ୍ତଫା ଦେବା ସମସ୍ତଙ୍କୁ ଆଚମ୍ବିତ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡାଙ୍କ ସହିତ କିଛି ମତାନ୍ତର ପ୍ରମୁଖ କାରଣ ବୋଲି ବିରୋଧୀ କଂଗ୍ରେସ କହିଛି । ସୋମବାର ଉପରାଷ୍ଟ୍ରପତି ଆହୁତ କରିଥିବା ବିଜନେସ୍ ଆଡ଼ଭାଇଜରି କମିଟି (ବିଏସି) ବୈଠକରେ ନଡ୍ଡା ଉପସ୍ଥିତ ନ ରହିବାକୁ ନେଇ ବିବାଦ ଉତ୍ପନ୍ନ ହୋଇଥିବା କୁହାଯାଉଛି । ଏହାରି ମଧ୍ୟରେ ଜେପି ନଡ୍ଡା ସ୍ପଷ୍ଟୀକରଣ ରଖିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ନଡ୍ଡା କହିଛନ୍ତି ଯେ ସେ କୌଣସି ଅନ୍ୟକାମରେ ବ୍ୟସ୍ତ ଥିଲେ । ବୈଠକରେ ଅନୁପସ୍ଥିତ ରହିବେ ବୋଲି ସେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟକୁ ପୂର୍ବରୁ ସୂଚନା ଦେଇଥିଲେ । ଅନ୍ୟପକ୍ଷରେ ରାଜ୍ୟସଭା ସଦନରେ ଜେପି ନଡ୍ଡାଙ୍କ ଏକ ବୟାନକୁ ମଧ୍ୟ ଏଥିରେ ଯୋଡ଼ା ଯାଇଛି । ଯାହାରର ଉତ୍ତରରେ ତାଙ୍କ ତରଫରୁ କୁହାଯାଇଛି କି ସେ ଅଧ୍ୟକ୍ଷଙ୍କ ପାଇଁ କୌଣସି ଟିପ୍ପଣୀ ଦେଇନଥିଲେ ବରଂ ସେ ବିରୋଧୀଙ୍କୁ ଇଙ୍ଗିତ କରି କହିଥିଲେ । ନଡ୍ଡା କହିଛନ୍ତି, ଗୃହରେ ବିରୋଧୀ ସଦସ୍ୟମାନେ ନାରାବାଜି କରୁଥିଲେ, ତେଣୁ ସେ ବିରୋଧୀଙ୍କୁ କହିଥିଲେ ଆପଣମାନଙ୍କ କଥା ରେକର୍ଡ ହେବନି ବରଂ ମୋ କଥା ରେକର୍ଡ ହେବ ।
ତେବେ ଗତକାଲି ବିଏସି ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜୁଜୁ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଉପସ୍ଥିତ ନ ଥିଲେ । ଶାସକ ଦଳ ପକ୍ଷରୁ ସୂଚନା ଓ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଏଲ୍ ଗୁରୁଗନ ପ୍ରତିନିଧିତ୍ୱ କରିଥିଲେ । ଗୁରୁଗନ ପରଦିନ ଅର୍ଥାତ ମଙ୍ଗଳବାରକୁ ବୈଠକ ରଖିବାକୁ ଉପରାଷ୍ଟ୍ରପତିଙ୍କୁ ଅନୁରୋଧ କରିଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ନିଜ ପଦରୁ ଇସ୍ତଫା ଦେଇଥିଲେ । ସ୍ଵାସ୍ଥ୍ୟଗତ ଦର୍ଶାଇ ସେ ନିଜର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କୁ ପଠାଇ ଦେଇଥିଲେ । ୨୦୨୨, ଅଗଷ୍ଟ ୬ରେ ଜଗଦୀପ ଧନଖଡ଼ ଉପରାଷ୍ଟ୍ରପତି ଦାୟିତ୍ଵ ଗ୍ରହଣ କରିଥିଲେ । ସେ ଦେଶର ୧୪ତମ ଉପରାଷ୍ଟ୍ରପତି ଅଟନ୍ତି । ୨୦୨୭ରେ ତାଙ୍କର କାର୍ଯ୍ୟକାଳ ସରିବାକୁ ଥିବାବେଳେ ଦୁଇ ବର୍ଷ ପୂର୍ବରୁ ସେ ପଦରୁ ଇସ୍ତଫା ଦେଇଛନ୍ତି ।