ନୂଆଦିଲ୍ଲୀ: ଭାରତ ଓ ୟୁନାଇଟେଡ କିଙ୍ଗଡମ ମଧ୍ୟରେ ବହୁପ୍ରତୀକ୍ଷିତ ମୁକ୍ତ ବାଣିଜ୍ୟ ରାଜିନାମା(ଏଫଟିଏ)କୁ ଭାରତୀୟ କ୍ୟାବିନେଟ ମଙ୍ଗଳବାର ମଞ୍ଜୁରୀ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚାରି ଦିନିଆ ବିଦେଶ ଯାତ୍ରା ସମୟରେ ଜୁଲାଇ ୨୪ରେ ଲଣ୍ଡନରେ ଏହି ରାଜିନାମା ଉପରେ ହସ୍ତାକ୍ଷର କରିବେ । ଏହି ଗସ୍ତରେ ପିଏମ ମୋଦୀ ପ୍ରଥମେ ୟୁକେ ଏବଂ ପୁଣି ମାଳଦ୍ୱୀପ ଗସ୍ତ କରିବେ । ତାଙ୍କ ସହିତ ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ ଗୋଏଲ ମଧ୍ୟ ଯିବେ ।
ଏହି ରାଜିନାମାକୁ ସରକାରୀ ଭାବେ କମ୍ପ୍ରେସିଭ ଇକୋନୋମିକ ଆଣ୍ଡ ଟ୍ରେଡ ଏଗ୍ରିମେଣ୍ଟ(ସିଇଟିଏ) କୁହାଯାଉଛି । ଏହାର ଉଦ୍ଦେଶ୍ୟ ୨୦୩୦ ସୁଦ୍ଧା ଭାରତ-ୟୁକେ ମଧ୍ୟରେ ବ୍ୟବସାୟକୁ ଦୁଇ ଗୁଣା କରି ୧୨୦ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚାଇବା ।
ଏହି ରାଜିନାମାରେ କଣ ମିଳିବ ?
ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଆଧାରରେ ଭାରତରୁ ରପ୍ତାନୀ ହେଉଥିବା ଚମଡା, ଜୋତା ଓ ପରିଧାନ ପରି ଶ୍ରମ ପ୍ରଧାନ ଉତ୍ପାଦ ଉପରେ ଟ୍ୟାକ୍ସ ଛାଡ କରାଯିବ । ସେହିପରି ୟୁକେରୁ ଭାରତକୁ ରପ୍ତାନୀ ହେଉଥିବା ହ୍ୱିସ୍କି ଓ କାର ଉପରୁ ଶୁଳ୍କ ହ୍ରାସ କରାଯିବ । ଏହି ଚୁକ୍ତିନାମାରେ ସେବା, ନବାଚାର, ବୌଦ୍ଧିକ ସମ୍ପଦ ଓ ସରକାରୀ କ୍ରୟ ପରି ପ୍ରସଙ୍ଗ ମଧ୍ୟ ଅନ୍ତର୍ଭୁକ୍ତ । ଏହା ଉପରେ ଦୁଇ ଦେଶର ବାଣିଜ୍ୟ ମନ୍ତ୍ରୀ ପ୍ରଥମେ ଦସ୍ତଖତ କରିବେ ଏବଂ ଏହା ୟୁକେ ସଂସଦର ମଞ୍ଜୁରୀ ପରେ କାର୍ଯ୍ୟକାରୀ ହେବ ।
ବାଣିଜ୍ୟ ରେକର୍ଡ
ଆର୍ଥିକ ବର୍ଷ ୨୦୨୪-୨୫ରେ ଭାରତରୁ ୟୁକେକୁ ରପ୍ତାନୀ ୧୨.୬ ପ୍ରତିଶତ ବୃଦ୍ଧି ସହ ୧୪.୫ ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିଥିଲା । ସେହିପରି ଏହି ଅବଧିରେ ୟୁକେରୁ ଭାରତକୁ ଆମଦାନୀ ୨.୩ ପ୍ରତିଶତ ବଢି ୮.୬ ବିଲିୟନ ଡଲାର ହୋଇଥିଲା । ଏହା ପୂର୍ବରୁ ୨୦୨୩-୨୪ରେ ଭାରତ ଓ ୟୁକେ ମଧ୍ୟରେ ଦ୍ୱିପାକ୍ଷିକ କାରବାର ୨୧.୩୩ ବିଲିୟନ ଡଲାର ରହିଥିଲା, ଯାହା ୨୦୨୨-୨୩ର ୨୦.୩୬ ବିଲିୟନ ଡଲାର ତୁଳନାରେ ଅଧିକ ।