ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ହେବାକୁ ଥିବା ଟ୍ରେଡ ଡିଲ୍ ଉପରେ ସଭିଙ୍କ ନଜର ରହିଛି । ଏହା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସହିତ ଟ୍ରେଡ ଡିଲ ବା ବାଣିଜ୍ୟିକ ଚୁକ୍ତିକୁ ନେଇ ବଡ ସୂଚନା ଦେଇଛନ୍ତି । ଟ୍ରମ୍ପ ସଙ୍କେତ ଦେଇଛନ୍ତି ଯେ, ଭାରତ ଓ ଆମେରିକା ମଧ୍ୟରେ ଖୁବ ଶୀଘ୍ର ବାଣିଜ୍ୟିକ ଚୁକ୍ତି ଉପରେ ମୋହର ଲାଗିପାରେ । ଏହି ସମୟରେ ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ଭାରତ ସହିତ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତିନାମା ଇଣ୍ଡୋନେସିଆ ସହିତ ହୋଇଥିବା ଚୁକ୍ତିନାମାର ଅନୁରୂପ ହୋଇପାରେ ।
ସୂଚନାଯୋଗ୍ୟ, ଆମେରିକା ସହିତ ବାଣିଜ୍ୟିକ ଚୁକ୍ତି ଆଧାରରେ ଇଣ୍ଡୋନେସିଆ ଆମେରିକୀୟ ଉତ୍ପାଦନକୁ ନିଜ ବଜାରରେ ସଂପୂର୍ଣ୍ଣ ସ୍ଥାନ ଦେବ । ଅନ୍ୟପଟେ ଇଣ୍ଡୋନେସିଆର ବସ୍ତୁ ଉପରେ ଆମେରିକାରେ ୧୯ ପ୍ରତିଶତ ଶୁଳ୍କ ଲାଗିବା ନେଇ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି । ଏହା ବ୍ୟତୀତ ଇଣ୍ଡୋନେସିଆ ଆମେରିକାରୁ ୧୫ ବିଲିୟନ ଡଲାରର ଉର୍ଜା କ୍ରୟ, ୪.୫ ବିଲିୟନ ଡଲାରର କୃଷି ଉତ୍ପାଦନ ଓ ୫୦ ବୋଇଙ୍ଗ ଜେଟ୍ କିଣିବା ନେଇ ପ୍ରତିବଦ୍ଧତା ପ୍ରକାଶ କରିଛି ।
ଟ୍ରମ୍ପ ବୁଧବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଭାରତ ମୂଳତଃ ବାଣିଜ୍ୟିକ ଚୁକ୍ତି ଦିଗରେ କାମ କରୁଛି । ଫଳରେ ଭାରତୀୟ ବଜାରରେ ଆମକୁ ପ୍ରବେଶ ମିଳିବ । ଆପଣଙ୍କୁ ବୁଝିବାକୁ ପଡିବ ଯେ, ଆମେ ଭାରତୀୟ ବଜାରରେ ପହଞ୍ଚି ପାରୁନଥିଲୁ । ଏବେ ଆମକୁ ସେଠାରେ ପ୍ରବେଶ ମିଳିବ । ଏହା ଆମେ ସବୁ ଶୁଳ୍କ ଜରିଆରେ କରିବୁ ।
ବର୍ତ୍ତମାନ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିନାମା ଉପରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ପାଇଁ ଭାରତୀୟ ଦଳ ଆମେରିକାରେ ଅଛନ୍ତି । ଏହି ଗସ୍ତରେ ଦୁଇ ଦେଶ ମଧ୍ୟରେ କୃଷି ପରି କ୍ଷେତ୍ରରେ ଡିଲ୍ ହେବାର ସମ୍ଭାବନା ରହିଛି । ଏହି ଗସ୍ତ ଏଥିପାଇଁ ଗୁରୁତ୍ୱପୂର୍ଣ୍ଣ କାରଣ ଆମେରିକା ଭାରତ ସହିତ ଅନେକ ଦେଶ ଉପରେ ଅତିରିକ୍ତ ଶୁଳ୍କକୁ ଅଗଷ୍ଟ ୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛି ।