ବୌଦ୍ଧ: ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥ ୫୭ର ମର୍ଯାଦପୁର ଓ ବଲାସୀଙ୍ଗା ମଧ୍ୟସ୍ଥ ସାଲୁଙ୍କି ପୋଲର ସଂଯୋଗ ରାସ୍ତାରେ ଖାଲଖମା, ଯାନବାହାନ ଯାତାୟାତରେ ସମସ୍ୟା ହେଉଥିବା ଅଭିଯୋଗ କରିଛନ୍ତି ଲୋକେ ।
ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡ଼ି ମୋଟର ଓ ଲୋକ ଯାତାୟାତ କରିଥାନ୍ତି । କିନ୍ତୁ ଏହି ରାସ୍ତାର ବୌଦ୍ଧ ଜିଲ୍ଲା ମର୍ଯାଦପୁର ନିକଟରେ ଥିବା ସାଲୁଙ୍କି ପୋଲ ଉପରେ ଓ ଉଭୟ ପାର୍ଶ୍ୱର ରାସ୍ତା ଉପରେ ବଡ ବଡ ଗାତ ହୋଇ ପାଣି ଜମୁଥିବା କାରଣରୁ ଯାନବାହାନରେ ଲୋକମାନେ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି । ମର୍ଯାଦପୁର ଓ ବଲାସୀଙ୍ଗା ଗ୍ରାମ ମଧ୍ୟରେ ରହିଥିବା ଉକ୍ତ ପୋଲର ଉଭୟ ପାର୍ଶ୍ୱର ସଂଯୋଗ ରାସ୍ତା ତିନି ବର୍ଷ ତଳେ ହୋଇଥିବା ବେଳେ ନିମ୍ନ ମାନର କାର୍ଯ୍ୟ ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଛି ବୋଲି ଅଭିଯୋଗ ହୋଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବେ ବୋଲି ଅଞ୍ଚଳବାସୀ ଆଶାବାଦୀ ରହିଛନ୍ତି ।