ବାଲ୍ୟବିବାହ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ବର୍ତ୍ତମାନ ସମୟରେ ମଧ୍ୟ ବାଲ୍ୟବିବାହ ସମ୍ପୂର୍ଣ୍ଣ ବନ୍ଦ ହୋଇପାରିନାହିଁ । ବାଲ୍ୟବିବାହ ରୋକିବା ସହିତ ଲିଙ୍ଗ ଭିତ୍ତିକ ହିଂସା ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି କିନ୍ତୁ ସୁଫଳ ମିଳିପାରୁନାହିଁ । ଏହି ପ୍ରଥାକୁ ରୋକିବା ଉଦ୍ଦେଶ୍ୟରେ ମୋରଡା ବ୍ଲକ ପରିସରରେ ସହେଲି ସଂସ୍ଥା ଆନୁକୂଲ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲ୍ୟବିବାହ ରୋକିବା ସହ ଘରୋଇ ହିଂସାକୁ କିପରି ସମାଧାନ କରାଯାଇପାରିବ ସେ ନେଇ ଆଲୋଚନା କରାଯାଇଛି । ନିର୍ଦ୍ଧାରିତ ବୟସ ପୂର୍ବରୁ ଝିଅମାନଙ୍କ ବିବାହ କରାଗଲେ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ପ୍ରଭାବ ଏବଂ ସରକାରୀ ନିୟମ ଅନୁଯାୟୀ ବିବାହ କଲେ ସରକାରୀ ସ୍ତରରେ କଣ ସବୁ ଲାଭ ମିଳେ ସେ ନେଇ ଉପସ୍ଥିତ ଅତିଥି ସଚେତନ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୋରଡା ବ୍ଲକ ବିଡ଼ିଓ ଅଣାକର ନାୟକ, ସମ୍ମାନିତ ଅତିଥି ଭାବେ ସହେଲି ସଂସ୍ଥାର ନିର୍ଦ୍ଦେଶିକା ଡାଲିଆ ଆନଟନି, ସିଡିପିଓ ବିଟୁ ଟୁଡୁ, ସହକାରୀଯନ୍ତ୍ରୀ ମତିଲାଲ ତୁଙ୍ଗଙ୍କ ସମେତ ଅନ୍ୟ ଅତିଥି ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥିଙ୍କ ବ୍ୟତୀତ ବିଭିନ୍ନ ଅଙ୍ଗନୱାଡ଼ି କେନ୍ଦ୍ରରୁ ଆସୁଥିବା କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ । ଅଙ୍ଗନୱାଡ଼ି ୱାର୍କରମାନେ ଗାଁ କୁ ଗାଁ ଯାଇ ମହିଳାମାନଙ୍କୁ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ ଉପସ୍ଥିତ ଅତିଥି । କୌଣସି ସମସ୍ୟାର ସମ୍ମୁଖୀନ ହେଲେ ସରକାରୀ ସ୍ତରରେ ସାହାଯ୍ୟର ହାତ ବଢାଇବେ ବୋଲି କହିଥିଲେ ସିଡିପିଓ ବିଟୁ ଟୁଡୁ । ତେବେ ସହେଲି ସଂସ୍ଥା ପକ୍ଷରୁ ଏକ ସଚେତନତା ସଙ୍ଗୀତ ଗାନ କରାଯାଇଥିଲା । ଏହି ସମୟରେ ସଂସ୍ଥାର ଆସିଷ୍ଟାଣ୍ଟ ପ୍ରୋଜେକ୍ଟ କୋଡିନେଟର ପ୍ରଜ୍ଞା ପରମିତା ପ୍ରଧାନଙ୍କ ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ ଥିଲେ ।
ଅଧିକ ପଢନ୍ତୁ : ଗଜପତିରେ ସଫେଇ ଆପଣାନ୍ତୁ, ରୋଗ ହଟାନ୍ତୁ କାର୍ଯ୍ୟକ୍ରମ ଅନୁଷ୍ଠିତ