ଭୁବନେଶ୍ୱର: ଆଜିଠୁ ରାଜ୍ୟର ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳରେ ଘରୋଇ ବସ ଧର୍ମଘଟ ଆରମ୍ଭ ହେବ । ଆଜି ସନ୍ଧ୍ୟା ୬ଟାରୁ ୮ ତାରିଖ ସନ୍ଧ୍ୟା ୬ଟା ଯାଏଁ ୧୪ ଜିଲ୍ଲାରେ ଘରୋଇ ବସ୍ ଗଡିବନି ବୋଲି ସଂଘ ନିଷ୍ପତ୍ତି ନେଇଛି । ଲକ୍ଷ୍ମୀ ବସ୍ ସେବାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇବାକୁ ସଂଘ ଚେତାବନୀ ଦେଇଛି ।
ରାଜ୍ୟ ସରକାରଙ୍କ ଦ୍ୱିତୀୟ ପର୍ଯ୍ୟାୟ ତଥା ବ୍ଲକ ଏବଂ ଜିଲ୍ଲା ସଦର ମହକୁମା ମଧ୍ୟରେ ଟାୟାର-ଟୁ ଏସି ବସ୍ ସେବା ନିଷ୍ପତ୍ତିକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ଟାଇପ-୧ ପଞ୍ଚାୟତରୁ ବ୍ଲକ, ଟାଇପ-୨ରେ ବ୍ଲକରୁ ଜିଲା ସଦର ମହକୁମା ଯାଏଁ ଲକ୍ଷ୍ମୀ ବସ୍ ଚାଲିବ ବୋଲି କୁହାଯାଇଥିଲା । ସଂଘ ପକ୍ଷରୁ ବିରୋଧ କରାଯିବାରୁ ଟାଇପ-୨ରେ ସେବାକୁ ସରକାର ସ୍ଥଗିତ ରଖିଥିଲେ। ବର୍ତ୍ତମାନ ଟାଇପ-୨ରେ ଲକ୍ଷ୍ମୀ ବସ୍ ଚଲାଇବାକୁ ଏକ ସଂସ୍ଥା ଆବେଦନ କରି ସାରିଛି । ଏହାକୁ ବିରୋଧ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଘରୋଇ ବସ୍ ମାଲିକ ସଂଘ ତରଫରୁ ବିରୋଧ କରି ବନ୍ଦ ଡାକରା ଦିଆଯାଇଛି ।
ଅନ୍ୟପକ୍ଷରେ ବିଭାଗୀୟ ମନ୍ତ୍ରୀ ଏ ବିଷୟରେ ଆଲୋଚନା କରିବାକୁ କହିଛନ୍ତି । ଯଦି ଆଜି ସଂଧ୍ୟା ସୁଦ୍ଧା ସରକାର କୌଣସି ନିଷ୍ପତ୍ତି ନ ନିଅନ୍ତି ତେବେ ସଂଘ ଧର୍ମଘଟକୁ ଓହ୍ଲାଇବ ।