ନୂଆଦିଲ୍ଲୀ: ଆଜି ହେଉଛି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ଙ୍କ ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ତେବେ ଏହି ଅବସରରେ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ନୂଆଁଖାଇରେ ଶୁଭେଚ୍ଛା ଜଣାଇଛନ୍ତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ୍ସରେ କହିଛନ୍ତି, “କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଉପଲକ୍ଷେ ଦେଶବାସୀ ବିଶେଷକରି ଓଡ଼ିଶାବାସୀଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । କୃଷି ପ୍ରତି ସମ୍ମାନ ଏବଂ କୃଷକଙ୍କ ପ୍ରତି କୃତଜ୍ଞତା ହେଉଛି ଏହି ପର୍ବର ବିଶେଷତ୍ଵ । ଏହା ଆମ ବନ୍ଧୁତ୍ୱ ଓ ଆତ୍ମୀୟତାର ପ୍ରତୀକ ମଧ୍ୟ । ନୂଆଁଖାଇ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଦେଉ, ଏହା ମୋର ଆନ୍ତରିକ କାମନା ।”
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନୂଆଁଖାଇର ଶୁଭକାମନା ଜଣାଇଛନ୍ତି । ଧର୍ମେନ୍ଦ୍ର ପୋଷ୍ଟ କରିଛନ୍ତି, “ଆମ ରାଜ୍ୟର ମହାନ କୃଷିଭିତ୍ତିକ ଗଣପର୍ବ ‘ନୂଆଁଖାଇ’ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ନୂଆଁଖାଇ ଚାଷୀ ଏବଂ ଚାଷର ଉନ୍ନତି ଓ ସମୃଦ୍ଧିର କଥା କୁହେ । ଏହି ପର୍ବରେ ନବାନ୍ନର ସ୍ୱତନ୍ତ୍ରତା ରହିଛି । 'ନୂଆଁଖାଇ'ର ଶୁଭ ଅବସରରେ ସମସ୍ତଙ୍କର ସୁଖ, ସମୃଦ୍ଧି ଏବଂ ପ୍ରଗତି ପାଇଁ ମା' ସମଲେଇ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି” ।