ସମ୍ବଲପୁର: ଆଜି ହେଉଛି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣ ପର୍ବ ନୂଆଁଖାଇ । ସେହି ମୁହୂର୍ତ୍ତ ଆସି ପହଁଚିଯାଇଛି, ଯାହାକୁ ସାରା ଚାଷୀ କୂଳ ଅତି ଉତ୍କଣ୍ଠାରେ ସହିତ ଅପେକ୍ଷା କରିଥିଲେ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଛି ନବାନ୍ନ ପ୍ରସାଦ । ନୂଆ ସରିଆ ଧାନରେ ପ୍ରସ୍ତୁତି ନବାନ୍ନ କୂରେଇ ପତ୍ରରେ ଲାଗି କରାଯାଇଛି । ଗୁରୁବାର ପୂର୍ବାହ୍ନ ୧୦ଟା ୩୩ ରୁ ୧୦ଟା ୫୫ ମଧ୍ୟରେ ଏହି ବିଧି ଅନୁଷ୍ଠିତ ହୋଇଛି । ବିଧି ମୁତାବକ ପୂଜାର୍ଚ୍ଚନା କରାଯିବା ପରେ ନବାନ୍ନ ଲାଗି ହୋଇଛି । ପରେ ପରେ ଚାଷୀ ପରିବାର ମଧ୍ୟ ନୂଆ ଖାଇବେ ।
ନୂଆଁଖାଇର ବିଶେଷତ୍ୱ ହେଉଛି, ଧାନ ଅମଳର ଖୁସିରେ ଚାଷୀମାନେ ଏହାକୁ ପାଳନ କରିଥାନ୍ତି । ଶରତ ଋତୁ ଆରମ୍ଭରେ ତଥା ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହୋଇଥାଏ । କ୍ଷେତରେ ଫଳିଥିବା ଧାନରେ ପୋକ ଲାଗିବା ପୂର୍ବରୁ ପ୍ରଥମ ଅନ୍ନ ମା’ଙ୍କ ନିକଟରେ ଲାଗିଥାଏ । ଖାଲି ସମ୍ବଲପୁରରେ ସାରା ପଶ୍ଚିମ ଓଡ଼ିଶା ସୁନ୍ଦରଗଡ଼, ସୋନପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା ଏବଂ କଳାହାଣ୍ଡିରେ ଏହି ପର୍ବ ପାଳନ କରାଯାଇଥାଏ । ବଲାଙ୍ଗୀରେ ମା’ ପାଟଣେଶ୍ୱରୀ, କଳାହାଣ୍ଡିର ମା’ ମାଣିକେଶ୍ୱରୀ, ନୂଆପଡ଼ାରେ ମା’ ରକ୍ତାମ୍ବରୀଙ୍କ ନିକଟରେ ମଧ୍ୟ ନୂଆଁଖାଇ ପାଳନ ହୋଇଥାଏ ।
ସେପଟେ କମ୍ପି ଉଠୁଛି ସମ୍ବଲପୁରଠାରୁ ଆରମ୍ଭ କରି ସୁନ୍ଦରଗଡ଼ଠାରୁ କଳାହାଣ୍ଡି ଯାଏ । ଦୁଲଦୁଲି ବାଜାର ତାଳେ ତାଳେ ଚାଲିଛି ସମ୍ବଲପୁରୀ ନୃତ୍ୟ । ସବୁଠି ପିଠା ପଣାର ମହକ । ନୂଆ ବସ୍ତ୍ର ସହିତ ଚାଲିଛି ନୂଆ ଭକ୍ଷଣ । ନୂଆଁଖାଇ ଏକ ଅନନ୍ୟ ଭାଇଚାରାର ପରମ୍ପରା । ଯେଉଁ ଦିନ କାହାରି ମନରେ ଆଉ ରାଗ, ହିଂସା କ୍ରୋଧ ନ ଥାଏ । ପରିବାରର ସମସ୍ତ ସଦସ୍ୟ ସବୁକିଛି ଭୂଲି ଏକାଠି ହୋଇଥାଆନ୍ତି । ନୂଆ ସରିଆ ଧାନରେ ପ୍ରସ୍ତୁତ ନବାନ୍ନ ଖାଇ ଥାଆନ୍ତି । ଏହା ପରେ ସାରା ଚାଷୀ ପରିବାର ନୂଆ ଖାଇବା ସହିତ ବଡ଼ମାନଙ୍କ ପାଦ ଛୁଇଁ ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରିବେ ।