ଚେନ୍ନାଇ: ଚଳନ୍ତା ଟ୍ରେନରେ ଜଣେ ଗର୍ଭବତୀ ମହିଳାଙ୍କୁ ଯୌନ ନିର୍ଯ୍ୟାତନା । ରକ୍ଷା କରିବାକୁ ଚିତ୍କାର କରିବାରୁ ଚଳନ୍ତା ଟ୍ରେନରୁ ଠେଲି ଦେଲେ ଦୁର୍ବୃତ୍ତ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ତାମିଲନାଡ଼ୁ ଜୋଲାନପୈଟ୍ଟେ ଅଞ୍ଚଳରେ । ଫଳରେ ମହିଳାଙ୍କ ଜଣଙ୍କର ହାତ ଏବଂ ଗୋଡ଼ ଭାଙ୍ଗିଯାଇଥିବା ଜଣାପଡ଼ିଛି ।
ମହିଳା ଜଣକ କୋଏମ୍ବଟୁରରେ ଏକ କପଡ଼ା କମ୍ପାନୀରେ କାମ କରନ୍ତି । ସେ 4 ମାସର ଗର୍ଭବତୀ ମଧ୍ୟ ଅଛନ୍ତି । ଚିତ୍ତୁର ପାଇଁ ଏକ ଟ୍ରେନରେ ଚଢ଼ିଥିଲେ । କୋଚରେ ଥିବା ଦୁଇ ଜଣ ଦୁର୍ବୃତ୍ତ ତାଙ୍କୁ ଯୌନ ନିର୍ଯ୍ୟାତନା ଦେବା ଆରମ୍ଭ କରିଦେଇଥିଲେ । ନିଜ ସିଟରୁ ଉଠି ମହିଳା ଜଣକ ବାଥରୁମକୁ ପଳାଇ ଯାଇଥିଲେ, ମାତ୍ର ସେଠାରେ ମଧ୍ୟ ଦୁର୍ବୃତ୍ତମାନେ ପହଁଚି ଯାଇଥିଲେ । ମହିଳା ଜଣକ ନିଜକୁ ବଞ୍ଚାଇବାକୁ ଚିତ୍କାର କରିବାରୁ ୨ ଜଣ ତାଙ୍କୁ କୁପ୍ପମ୍ ନିକଟରେ ଚଳନ୍ତା ଟ୍ରେନରୁ ଧକ୍କା ଦେଇଥିଲେ । ଫଳରେ ମହିଳା ଜଣକ ତଳେ ପଡ଼ିଯାଇଥିଲେ ।
ଜିଆରପି ପୋଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ସରକାରୀ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି । ତାଙ୍କ ଗୋଡ଼ ଏବଂ ହାତ ଭାଙ୍ଗି ଯାଇଥିବା ଜଣା ପଡ଼ିଛି । ମହିଳାଙ୍କ ଅଭିଯୋଗ ପରେ ଜୌଲାପୈଟ୍ଟେ ପୋଲିସ ମାମଲା ରୁଜୁ କରି ଜଣକୁ ଗିରଫ କରିଛି । ଅନ୍ୟ ଜଣକୁ ଧରିବାକୁ ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି ।
ସୂଚାଇ ଦେବାକୁ ଚାହୁଁଛୁ, ଗତ କିଛି ଦିନ ତଳେ ମହାରାଷ୍ଟ୍ର ମୁମ୍ବାଇରେ ବାନ୍ଦ୍ରା ଟର୍ମିନସ୍ ନିକଟରେ ଜଣେ କୁଲି ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ମହିଳାଙ୍କ ସୂଚନା ମୁତାବକ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଚିହ୍ନଟ କରି ଗିରଫ କରିଥିଲା । ଗତ ଶନିବାର ରାତିରେ ମହିଳା ଜଣକ ନିଜ ପୁଅ ସହିତ ବାନ୍ଦ୍ରା ଟର୍ମିନସ୍ ନିକଟରେ ଓହ୍ଲାଇବା ପରେ ଅନ୍ୟ ଏକ ଟ୍ରେନରେ ଚଢ଼ିଥିଲେ । ସେହି ସମୟରେ ବଗିରେ ଆଉ କୌଣସି ଯାତ୍ରୀ ନ ଥିଲେ । ଫଳରେ ମହିଳା ଏକାକୀ ଥିବାର ସୁଯୋଗ ନେଇ କୁଲି ଜଣକ ଦୁଷ୍କର୍ମ କରିଥିଲା ବୋଲି ଜିଆରପି ପୋଲିସ କହିଛି ।