ଭୁବନେଶ୍ୱର: ସ୍ପଷ୍ଟ ଦିବାଲୋକରେ ରାଜଧାନୀ ଭୁବନେଶ୍ୱର ହୋଇଛି ଲୁଟ୍ । ଜଣେ ସିକ୍ୟୁରିଟି ସଂସ୍ଥାର କର୍ମଚାରୀଙ୍କ ଠାରୁ ଏକ ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପି ନେଇଛନ୍ତି ଲୁଟେରା । ଇନଫୋସିଟି ଥାନା ଅଞ୍ଚଳରେ ଏହି ଡକାୟତି ହୋଇଥିବା ସୂଚନା ମିଳିଛି ।
ସିକ୍ୟୁରିଟି ସଂସ୍ଥାରେ କାମ କରୁଥିବା ଜଣେ ବ୍ୟକ୍ତି ଇନଫୋସିଟି ଥାନା ଅଞ୍ଚଳରେ ଥିବା ଏସବିଆଇ ବ୍ୟାଙ୍କ ଶାଖାରୁ ଦିନ ପ୍ରାୟ ୧ଟା ୧୫ ମିନିଟ୍ ସମୟରେ ଟଙ୍କା ଉଠାଇ ଆଣିଥିଲେ । ଟଙ୍କା ବ୍ୟାଗ୍ ଧରି ଅଫିସକୁ ଯାଉଥିବା ସମୟରେ ଦୁଇ ଜଣ ଲୁଟେରା ଏକ ପଲସର ଗାଡ଼ିରେ ଆସିଥିଲେ । ଏହା ପରେ ହଠାତ୍ ତାଙ୍କ ହାତରୁ ବ୍ୟାଗ୍ ନେଇ ଚମ୍ପଟ୍ ମାରିଥିଲେ । ବ୍ୟାଗରେ ୨ ଲକ୍ଷ ୫୦ ହଜାର ଟଙ୍କା ଥିଲା ଏବଂ ତାହା ତାଙ୍କର ବ୍ୟକ୍ତିଗତ ଟଙ୍କା ବୋଲି ବ୍ୟକ୍ତି ଜଣକ କହିଛନ୍ତି । ଏ ନେଇ ସେ ଇନଫୋସିଟି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଚୋରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଅଧିକ ପଢ଼ନ୍ତୁ-ଯୌତୁକ ମାମଲାର ୩ଙ୍କୁ ଫାଶୀ ଦଣ୍ଡ, କୋର୍ଟଙ୍କ ଭାବପୂର୍ଣ୍ଣ କବିତା ସମସ୍ତଙ୍କ ଆଖିରେ ଆଣିଲା ଲୁହ
ଗତ କିଛି ଦିନ ତଳେ ମୈତ୍ରୀ ବିହାର ଥାନାରେ ଏକ ବିବାହ ମଣ୍ଡପରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହିତ ନଗଦ ଟଙ୍କା ନେଇ ଫେରାର ହୋଇଯାଇଥିଲା ଦୁର୍ବୃତ୍ତ । ସେ ବରଯାତ୍ରୀ ବେଶରେ ଆସି ଲୁଟ୍ କରିଥିଲା । ଉକ୍ତ ଦୁର୍ବୃତ୍ତକୁ ପୁରୀ ପୋଲିସ ଗିରଫ କରିଥିଲା । ସେହିପରି କଂଗ୍ରେସ ନେତା ନିରଞ୍ଜନ ପଟ୍ଟାନାୟକଙ୍କ ଘରୁ ମଧ୍ୟ ରାତି ଅଧରେ ଡକାୟତି ହୋଇଥିଲା । ଲୁଟେରା ୫୦ ଲକ୍ଷ ଟଙ୍କାର ସୁନା ଗହଣା ସହିତ ନଗଦ ଟଙ୍କା ଚୋରି କରି ନେଇଥିଲା ଲୁଟେରା । ଯାହାର ଏ ପର୍ୟ୍ୟନ୍ତ କୌଣସି ପତ୍ତା ପାଇ ପାରି ନାହିଁ ପୋଲିସ ।