ଭୁବନେଶ୍ୱର: ରାଜ୍ୟରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ଭତ୍ତା ବୃଦ୍ଧି ନେଇ ଶୁକ୍ରବାର ବିଧାନସଭାରେ ଦାବି ଉଠିଛି । ଉଭୟ ବିଜେପି ଏବଂ ବିଜେଡ଼ି ଏକ ସ୍ୱରରେ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି । ଭାସ୍କର ମଢ଼େଇଙ୍କ କମିଟି ରିପୋର୍ଟ ଆଧାରରେ ଦରମା ଏବଂ ପେନସନ ବୃଦ୍ଧି କରିବାକୁ ବିଜେଡ଼ି ବିଧାୟିକା ପ୍ରମିଳା ମଲ୍ଲିକ ଦାବି କରିଥିବାବେଳେ ବିଜେପି ସଦସ୍ୟ ମଧ୍ୟ ସମର୍ଥନ କରିଛନ୍ତି ।
ଆଜି ବିଧାନସଭାର ଶୁନ୍ୟକାଳରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକମାନଙ୍କ ପେନସନ୍ ବୃଦ୍ଧି ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରସଙ୍ଗ ଉଠାଇଛନ୍ତି । ଶ୍ରୀମତି ମଲ୍ଲିକ କହିଛନ୍ତି, “ବର୍ତ୍ତମାନ ବଜାର ଦର ବଢ଼ିଛି । ଅନେକ ପୂର୍ବତନ ବିଧାୟକ ପେନସନ ବଢ଼ାଇବା ପାଇଁ ଲବିକୁ ଆସିଛନ୍ତି । ମେଡ଼ିସିନ ଖର୍ଚ୍ଚ ହେଉ କି ବଜାର ଦର ଯାହା ଅଛି ତାହା ପେନସନ୍କୁ ଦେଖିଲେ ପର୍ଯ୍ୟାପ୍ତ ହେଉନି। ଏଥିପାଇଁ ଭାସ୍କର ମଢେଇଙ୍କ ଅଧ୍ୟକ୍ଷତାରେ ଗୋଟେ କମିଟି ଗଠନ ହୋଇଥିଲା। କମିଟିର ବୈଠକରେ ନିଷ୍ପତ୍ତି ନିଆଯାଇ ରିପୋର୍ଟ ଦିଆଯାଇଛି । ସେହି ରିପୋର୍ଟକୁ କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ”। ବିଧାୟକଙ୍କ ଦରମା ବି ବଢିବା ଆବଶ୍ୟକ ଅଛି । ୨୦୧୭ରେ ଶେଷ ଥର ପାଇଁ ଦରମା ବଢ଼ିଥିଲା, କିନ୍ତୁ ୨୦୨୫ ହେଲାଣି ତାକୁ ବଢ଼ାଇବା ଦରକାର ଅଛି ବୋଲି ପ୍ରମିଳା ମଲ୍ଲିକ କହିଥିଲେ ।
ପ୍ରମିଳାଙ୍କ ଏହା ଦାବିକୁ ବିଜେପି ସଦସ୍ୟମାନେ ସମର୍ଥନ ଜଣାଇଥିଲେ । ବିଜେପି ବିଧାୟକ ପୂର୍ଣ୍ଣ ସେଠୀ କହିଛନ୍ତି, “ମୁଁ ପୂର୍ବତନ ବିଧାୟକ ଭାବେ ଭୁକ୍ତଭୋଗୀ। କେତେ ଅସୁବିଧା ହେଉଛି ମୁଁ ନିଜେ ଅନୁଭବ କରିଛି । ସରକାରୀ କର୍ମଚାରୀଙ୍କ ପାଇଁ ବେତନ କମିଶନ ଅଛି କିନ୍ତୁ ବିଧାୟକଙ୍କ ପାଇଁ କେହି ନାହିଁ । କେବଳ ଆମର ମଢ଼େଇ କମିଟି ସାହା ଭରସା । କୌଣସି ଗାଁକୁ ବିଧାୟକଟେ ଗଲେ ୧୦ରୁ ୩୦ ହଜାର ନଦେଲେ ହେଉନି । ତେଣୁ ମୁଁ ଦାବି କରୁଛି ବାଚସ୍ପତି ଭାସ୍କର ମଢେଇଙ୍କ କମିଟିର ସୁପାରିଶକୁ ଗ୍ରହଣ କରି ସରକାରଙ୍କୁ ଜୁନ୍ ମାସରୁ ପିଛିଲା ଭାବେ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଅନ୍ତୁ ।“ ସେପଟେ ପୂର୍ଣ୍ଣ ସେଠୀଙ୍କ ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା । ସେ କହିଛନ୍ତି, “ପୂର୍ବତନ ବିଧାୟକଙ୍କ ଅବସ୍ଥା ଦେଖିଲେ ଖରାପ ଲାଗୁଛି ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ କ୍ଷେତ୍ରରେ ଆମ ରାଜ୍ୟ ୨୭ ନମ୍ବରରେ ରହିଛି। ତେଣୁ ତୁରନ୍ତ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ୍ ବୃଦ୍ଧି କରାଯାଉ ।