ନୟାଗଡ: ଯାଜପୁର,ମାଲକାନଗିରି ପରେ ପୁଣି ନୟାଗଡରେ ମାଆ ହେଲେ ଜଣେ ଛାତ୍ରୀ । ଛାତ୍ରୀ ଜଣକ ନୟାଗଡ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ତିନି ଦ୍ବିତୀୟ ବର୍ଷର । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । ଡାକ୍ତରଖାନା ପାଇଖାନା ଭିତରେ ଛୁଆ ଜନ୍ମ ଦେଇଛନ୍ତି ଛାତ୍ରୀ ଜଣକ । ଜନ୍ମ ହୋଇଥିବା ଛୁଆ ମୃତ ବୋଲି ସୂଚନା ମଧ୍ୟ ମିଳୁଛି । ଛାତ୍ରୀ ହଷ୍ଟେଲରେ ରହି ପାଠ ପଢ଼ୁଥିବା ଜଣାପଡିଛି ।
ସୂଚନା ଅନୁସାରେ, ଆଜି ସକାଳୁ ଉକ୍ତ ଛାତ୍ରୀଙ୍କ ପେଟ ଯନ୍ତ୍ରଣା ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ଛାତ୍ରୀଙ୍କୁ ମେଡିକାଲ ନେଇଥିଲେ । ମେଡିକାଲରେ ଛାତ୍ରୀଙ୍କ ଚିକିତ୍ସା କରିବା ପରେ ଛାତ୍ରୀ ଜଣକ ପରିସ୍ରା କରିବା ପାଇଁ ଶୌଚାଳୟକୁ ଯାଇଥିଲେ । ଏହି ସମୟରେ ସେ ଶୌଚାଳୟ ଭିତରେ ଏକ ମୃତ ଛୁଆକୁ ଜନ୍ମ ଦେଇଥିଲେ । ଏହି ଘଟଣା ହଇଚଇ ସୃଷ୍ଟି କରିଦେଇଛି । ପ୍ରସବ ପରେ ଛାତ୍ରୀଙ୍କୁ ମାତୃଶିଶୁ ବିଭାଗରେ ଚିକିତ୍ସିତ କରାଯାଇଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ଥିବା ସୂଚନା ମିଳିଛି । ଏନେଇ ହଷ୍ଟେଲ କର୍ତ୍ତୃପକ୍ଷ କିଛି ଜାଣିନଥିବା କହିଛନ୍ତି । ଛାତ୍ରୀଙ୍କ ଘର କନ୍ଧମାଳ ଜିଲ୍ଲା ରାଇକିଆ ଅଞ୍ଚଳରେ । ଥରେ ନୁହେଁ ଏକାଧିକ ବାର ଏମିତି ଲଜ୍ଜାଜନକ ଘଟଣା ଘଟିବାରେ ଲାଗିଛି ।
ପୂର୍ବରୁ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଛୁଆ ଜନ୍ମ କରିଥିବାବେଳେ ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ମଧ୍ୟ ସମାନ ଘଟଣା ଘଟିଥିଲା। ମାଲକାନଗିରି ଜିଲ୍ଲାର ଦଶମ ଶ୍ରେଣୀ ଛାତ୍ରୀ ପୁତ୍ର ସନ୍ତାନ ଜନ୍ମ କରିଥିବାବେଳେ ଯାଜପୁରର ଛାତ୍ରୀ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ଏହି ଘଟଣାରେ ଦଶମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହେବା ବିଷୟରେ ଛାତ୍ରୀଙ୍କ ପରିବାର ଲୋକଙ୍କ ସମେତ ସ୍କୁଲ ଶିକ୍ଷକ, ଶିକ୍ଷୟତ୍ରୀ ମଧ୍ୟ ଜାଣିପାରିନଥିଲେ। ଏହି ଉଭୟ ଘଟଣା ପରେ ପୁଣି ନୟାଗଡ଼ର କଲେଜ ଛାତ୍ରୀଙ୍କ ମା' ହେବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଅଧିକ ପଢ଼ନ୍ତୁ: ବଢ଼ୁଛି ନାବାଳିକା ମାତୃତ୍ୱ: କନ୍ୟା ସନ୍ତାନ ଜନ୍ମ ଦେଲେ ଦଶମ ଛାତ୍ରୀ