ଯାଜପୁର: ମାଲକାନଗିରି ପରେ ଯାଜପୁରରୁ ଆସିଛି ପୁଣି ଏକ ଲଜ୍ଜା ଜନକ ଖବର । ଯାଜପୁର ବରୀ ଅଞ୍ଚଳର ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀ ଶିଶୁକୁ ପ୍ରସବ ଦେଇଛନ୍ତି । ଉକ୍ତ ଛାତ୍ରୀ ଏବଂ ଶିଶୁକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ଜଣେ ଦଶମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଛନ୍ତି । ମାତ୍ର ଗତକାଲି ଛାତ୍ରୀ ଜଣଙ୍କୁ ରାମଚନ୍ଦ୍ରପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଉକ୍ତ ନାବାଳିକାଟି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ଏହା ପରେ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ପିଲାକୁ ଏସଏନସିୟୁରେ ଭର୍ତ୍ତି କରାଯାଇଥିବାବେଳେ ମାଆ ସୁସ୍ଥ ଅଛନ୍ତି । ସାହିତ୍ୟ ଓ ଇଂରାଜୀ ବିଷୟରେ ଛାତ୍ରୀ ଜଣକ ପରୀକ୍ଷା ଦେଇଥିବାବେଳେ ଗଣିତ ବିଷୟରେ ପରୀକ୍ଷା ଦେଇ ପାରି ନାହାଁନ୍ତି ।
ଅନ୍ୟପକ୍ଷରେ ଏ ନେଇ ପରିବାର ପକ୍ଷରୁ ବରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ସହିତ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ କିଏ ଜଣାପଡ଼ି ନ ଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନୁସୂଚିତ ଜାତି ଓ ଜନଜାତି ଆବାସିକ ବିଦ୍ୟାଳୟରେ ଜଣେ ଦଶମ ଛାତ୍ରୀ ଶିଶୁକୁ ଜନ୍ମ ଦେଇଥିଲେ । ସୋମବାର ସକାଳେ ପରୀକ୍ଷା ଦେଇ ହଷ୍ଟେଲକୁ ଫେରିବା ପରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଏହି ଘଟଣାରେ ଜିଲ୍ଲା ପ୍ରଶାସନର ସୁପାରିସ ଆଧାରରେ ପ୍ରଧାନ ଶିକ୍ଷକ ଅଜିତ କୁମାର ମାଡକାମୀଙ୍କୁ ରାଜ୍ୟ ସରକାର ନିଲମ୍ୱନ କରିଛନ୍ତି ।