ବ୍ରହ୍ମପୁର: ହାଇପ୍ରୋଫାଇଲ୍ ହତ୍ୟା କାଣ୍ଡ ତଥା ଆଇନଜୀବୀ ପୀତବାସ ହତ୍ୟାର ଷଡ଼ଯନ୍ତ୍ର ରଚାଯାଇଥିଲା ସେପ୍ଟେମ୍ବର । ପ୍ରଥମ ପ୍ରୟାସରେ ହୋଇଥିଲେ ବିଫଳ ଏବଂ ଦ୍ୱିତୀୟ ପ୍ରୟାସରେ ଯୋଜନାକୁ ଦିଆଯାଇଥିଲା ହତ୍ୟାର ରୂପ । ଏଥିପାଇଁ ୫୦ ଲକ୍ଷ ଟଙ୍କା ଡିଲ୍ ହୋଇଥିଲା । ରାଜନୈତିକଠାରୁ ଆରମ୍ଭ କରି ବୃତ୍ତିଗତ ଶତ୍ରୁତା ଥିଲା ମୁଖ୍ୟ କାରଣ । ପୀତବାସଙ୍କ ହତ୍ୟା ମାମଲାରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ୍. ।
ଅକ୍ଟୋବର ୬ ତାରିଖରେ ପୀତବାସଙ୍କୁ ତାଙ୍କ ବାସଭବନ ନିକଟରେ ଦୁଇ ଜଣ ଗୁଳି କରି ହତ୍ୟା କରାଯାଇଥିଲା । ଏଥିପାଇଁ ବୈଦ୍ୟନାଥପୁର ଥାନା ପୋଲିସ କେସ୍ ନଂ ୫୦୮ରେ ମାମଲା ରୁଜୁ କରି ତଦନ୍ତ କରିଥିଲା । ବ୍ରହ୍ମପୁର ଏସପିଙ୍କ ତତ୍ୱାବଧାନରେ ୬ଟି ଟିମ୍ ଗଠନ କରାଯାଇଥିଲା । ରାଜ୍ୟ ଭିତରେ ଏବଂ ବାହାରେ ତନ୍ନ ତନ୍ନ କରି ପୋଲିସ ଟିମ୍ ଯାଞ୍ଚ କରିଥିଲା । ଏହି ହତ୍ୟାର ଚେର ବ୍ରହ୍ମପୁର ଯାଇ ବିହାରରେ ବାହାରିଛି ।
ସେପ୍ଟେମ୍ବରରେ ଷଡ଼ଯନ୍ତ୍ର ବିଫଳ
ପୀତବାସଙ୍କୁ ହତ୍ୟା କରିବାକୁ ସେପ୍ଟେମ୍ବର ୧୦ରୁ ଯୋଜନା କରାଯାଇଥିଲା । ସେପ୍ଟେମ୍ବର ୧୪ ତାରିଖରେ ପୀତବାସଙ୍କୁ ହତ୍ୟା କରାଯାଇଥାଆନ୍ତା । ଏଥିପାଇଁ ଦୁଇ ଜଣ ବିହାରୀ ସୁଟରଙ୍କୁ ସୁପାରି ଦିଆଯାଇଥିଲା । ବିହାର ରାଜ୍ୟ ପାଟନାର ଶିଶୁପାଲ କୁମାର ପାସୱାନ ଏବଂ କୁନ୍ଦନ କୁମାର ବ୍ରହ୍ମପୁର ଆସିଥିଲେ । ପ୍ରଥମେ ୧୦ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିଲା । ଉମା ବିଷୋୟୀ ଏବଂ ଯୋଗେନ୍ଦ୍ର ରାଉତ ହିଞ୍ଜିଳିର ବିପିନ ସ୍ୱାଇଁକୁ କହିଥିଲେ । ବିପିନ କୋଲକାତାରେ ରୁହେ, ସେ ଦୁଇ ଜଣ ସୁଟରଙ୍କୁ ଆଣିଥିଲା । ଦୁଇ ଜଣ ସୁଟର୍ ଅଳକାପୁରୀରେ ଶୂନ୍ୟଚନ୍ଦ୍ର ଦାସଙ୍କ ଘରେ ଭଡ଼ାରେ ରହିଥିଲେ । ଏଠାରେ କହି ରଖୁଛୁ ଶୂନ୍ୟଚନ୍ଦ୍ରଙ୍କ ଏଥିରେ କୌଣସି ସମ୍ପୃକ୍ତି ନ ଥିବା ପୋଲିସ ସ୍ପଷ୍ଟ କରିଛି । ତେବେ ଶୂନ୍ୟଚନ୍ଦ୍ରଙ୍କର ସନ୍ଦେହ ହେବାରୁ ସେ ମଳୟ ବିଷୋୟୀଙ୍କୁ ବାରମ୍ବାର ପଚାରିଥିଲେ । କିନ୍ତୁ ମେଡ଼ିକାଲ ଚିକିତ୍ସାପାଇଁ ଆସିଥିବା କହିଥିଲେ, ଯାହାକୁ ଶୂନ୍ୟ ସହଜରେ ବିଶ୍ୱାସ କରି ନେଇଥିଲେ । ଉମା ବିଷୋୟୀ, ଯୋଗୀ ରାଉତ ଏବଂ ସୀମାଞ୍ଚଳ ନାୟକ ପୀତବାସ, ତାଙ୍କ ଘର ଏବଂ ରାସ୍ତା ଚିହ୍ନଟ କରାଇଥିଲେ । କିନ୍ତୁ ଜଣେ ସୁଟରଙ୍କ ପତ୍ନୀଙ୍କ ହଠାତ୍ ଖରାପ ହେବାରୁ ସେ ପଳାଇ ଯାଇଥିଲେ ।
ଅକ୍ଟୋବରରେ ହତ୍ୟାର ରୂପ
ଏହା ପରେ ପୁଣି ଉମା ବିଷୋୟୀ ଆଉ ଏକ ଟିମ୍ ଠିକ୍ କରିଥିଲେ । ସେଥିପାଇଁ ନିଜ ଘର ବନ୍ତପଲ୍ଲୀର ଚିଣ୍ଟୁ ପ୍ରଧାନ ଓ କୁରୁପତି ଭୂୟାଁଙ୍କୁ ସୁପାରୀ ଦେଇଥିଲେ । ଚିଣ୍ଟୁ ବେଙ୍ଗାଲୁରୁରେ ରୁହେ । ସେ ଆସିବା ପରେ ପୁଣି ଅଳକାପୁରୀରେ ଆଉ ନିର୍ମାଣଧୀନ ଘରେ ରହିଥିଲେ । ଗାଡ଼ି ଚଲାଇଥିବା ଚିଣ୍ଟୁକୁ ୩ ଲକ୍ଷ ଏବଂ ଗୁଳି ଚଳାଇଥିବା କୁରୁପତିକୁ ୫ ଲକ୍ଷ ଦେବାକୁ ଡିଲ୍ ହୋଇଥିଲା । ଏହା ପରେ ସେମାନେ ପୀତବାସଙ୍କୁ ହତ୍ୟା କରି ଫେରାର୍ ହୋଇଯାଇଥିଲେ । ଶୀତଳାପଲ୍ଲୀରେ ହେଲମେଟ୍ ଏବଂ ବନ୍ଧୁକ ଲୁଚାଇ ରଖିଥିଲେ ଏବଂ ରାମେଶ୍ୱରମରୁ ବସରେ ପଳାଇଯାଇଥିଲେ । ପୁରୀ ଦେଇ ଜୟପୁର ଯାଇଥିଲେ । ଜୟପୁରରେ ବିକ୍ରମ ପଣ୍ଡାଙ୍କ ସହଯୋଗୀ ସୁନୀଲ ହୋତାଙ୍କ ଘରେ ଆଶ୍ରୟ ନେଇଥିଲେ । ମୋଟରେ ୫୦ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା ।
୨୦୧୩ ଶାନ୍ତି ମିଶ୍ର ହତ୍ୟା ଲିଙ୍କ୍
ଏ ହତ୍ୟା କାଣ୍ଡର ପ୍ରମୁଖ କାରଣ ଥିଲା ରାଜନୈତିକ ଓ ବୃତ୍ତଗତ ଶତ୍ରୁତା । ୨୦୧୩ ଶାନ୍ତି ମିଶ୍ର ହତ୍ୟା ଘଟଣା ଏଥିରେ ଲିଙ୍କ୍ ରହିଛି । ଶାନ୍ତି ମିଶ୍ର ପୂର୍ବତନ ମେୟର ଶିବଶଙ୍କର ଦାସଙ୍କ ଘନିଷ୍ଠ ବନ୍ଧୁ ଥିଲା । ଏହି ମାମଲାକୁ ପୀତବାସ ପଣ୍ଡା ପରିଚାଳନା କରୁଥିଲା । ଅଭିଯୁକ୍ତ ମଞ୍ଜୁ ମିଶ୍ରଙ୍କୁ ଜାମିନ ଦେବାରେ ପୀତବାସଙ୍କ ମୁଖ୍ୟ ଭୂମିକା ଥିବା ଶିବଶଙ୍କର କହିଥିଲା । ତେଣୁ ପୀତବାସଙ୍କ ଉପରେ ବ୍ୟକ୍ତିଗତ ରାଗ ରଖିଥିଲା । ଏପରିକି ଶିବଶଙ୍କର ଟିକେଟ୍ କଟିବା ପଛରେ ପୀତବାସଙ୍କ ହାତ ଥିବା ସେ ସନ୍ଦେହ କରିଥିଲା ।
ରାଜନୈତିକ ଶତ୍ରୁତା
ସେହିପରି ଓଡ଼ିଶା ବାର କାଉନସିଲ ନିର୍ବାଚନ ପରେ ଏହି ଶତ୍ରୁତା ଆହୁରି ବଢ଼ିଥିଲା । ଓଡ଼ିଶା ବାର୍ କାଉନସିଲ ନିର୍ବାଚନରେ ସାରା ରାଜ୍ୟରେ ପୀତବାସ ସର୍ବାଧିକ ଭୋଟ୍ ପାଇ ମଧ୍ୟ ସଭାପତି ହୋଇପାରିନ ଥିଲେ । ଏଥିରେ ବିକ୍ରମ ପଣ୍ଡାଙ୍କ ହାତ ଥିବା ପୀତବାସ ଭାବିଥିଲେ । ସେ ବଞ୍ଚିଥିବା ଯାଏ ବିକ୍ରମଙ୍କ ରାଜନୈତିକ ଜୀବନକୁ ବରବାଦ କରିଦେବେ ବୋଲି ପୀତବାସ ଶପଥ ନେଇଥିଲେ ଏବଂ ଏହ ସମସ୍ତଙ୍କୁ କହି ବୁଲୁଥିଲେ । ଯେଉଁଥିପାଇଁ ବିକ୍ରମ ପଣ୍ଡା ପୀତବାସଙ୍କ ଉପରେ ରାଗ ରଖିଥିଲେ ।
ମୋଟ ୧୨ ଜଣ ଗିରଫ ହୋଇଛନ୍ତି । ସେମାନେ ହେଲେ ବିକ୍ରମ ପଣ୍ଡା, ପୂର୍ବତନ ବ୍ରହ୍ମପୁର ମେୟର ଶିବଶଙ୍କର ଦାସ ଓରଫ୍ ପିଣ୍ଟୁ ଦାସ , ବିଜେଡ଼ି କର୍ପୋରେଟର୍ ମଳୟ ବିଷୋୟୀ, ମଦନ ମୋହନ ଦଳେଇ, ସୁଟର୍ କାଳୁଚରଣ ଭୂୟାଁ ଓ ଚିଣ୍ଟୁ ପ୍ରଧାନ, ଛାତ୍ରନେତା ଯୋଗେନ୍ଦ୍ର ରାଉତ, ରାଜେନ୍ଦ୍ର ସାହୁ, ସୁପାରୀ ନେଇଥିବା ପାଟନାର ଶିଶୁପାଲ କୁମାର ପାସୱାନ ଓ କୁନ୍ଦନ କୁମାର, ବିପିନ ସ୍ୱାଇଁ ଓ ସୀମାଞ୍ଚଳ ନାୟକ । ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ଏହା ସହିତ ଆଉ ଜଣେ ଷଡ଼ଯନ୍ତ୍ରକାରୀ ସୁଦର୍ଶନ ଜେନା ଓ ସହଯୋଗ କରୁଥୁବା ଉମା ବିଷୋୟୀ ଫେରାର ଅଛି । ବ୍ରହ୍ମପୁର ଏସପି ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି ।