ପୁରୀ : ଇସ୍କନ ପକ୍ଷରୁ ଅଦିନିଆ ରଥଯାତ୍ରା ପାଳନ କରାଯାଉଥିବା ବେଳେ ଏହାକୁ ଜଗନ୍ନାଥ ପ୍ରେମୀ ବାରମ୍ବାର ବିରୋଧ କରି ଆସୁଛନ୍ତି । ଏହି ଅଦିନିଆ ରଥଯାତ୍ରାଙ୍କୁ ମଧ୍ୟ ଗଜପତି ମହାରାଜା ଓ ଶ୍ରୀମନ୍ଦିର ସେବାୟତ ବିରୋଧ କରୁଛନ୍ତି । ତେବେ ଅଦିନିଆ ରଥଯାତ୍ରାକୁ ବିଭିନ୍ନ ମହଲରେ ବିରୋଧ ପରେ ଭାରତରେ କାର୍ଯ୍ୟ କରୁଥିବା ଇସ୍କନ ସଂସ୍ଥା ଭାରତରେ ଅଦିନିଆ ରଥଯାତ୍ରାକୁ ବନ୍ଦ କରିଛି।
ଅନ୍ୟପକ୍ଷେ କିନ୍ତୁ ଭାରତ ବାହାରେ କିନ୍ତୁ କାର୍ଯ୍ୟ କରୁଥିବା ଇସ୍କନ କିନ୍ତୁ ଏହାକୁ ମାନୁନାହିଁ। ଭାରତ ବାହାରେ ଅଦିନିଆ ରଥଯାତ୍ରା ଆୟୋଜନ କରୁଛି ଇସ୍କନ । ତେବେ ଏହାକୁ ବନ୍ଦ କରିବାକୁ ଗଜପତି ମହାରାଜା ଇସ୍କନକୁ ଚିଠି ଲେଖିଥିଲେ । ତେବେ ତିଥି ଅନୁଯାୟୀ ଭାରତ ବାହାରେ ସ୍ନାନ ଯାତ୍ରା ପାଳନ ପାଇଁ ଆନ୍ତର୍ଜାତିକ ଇସ୍କନ ସଂସ୍ଥା ସହମତି ପ୍ରକାଶ କରିଥିବା ବେଳେ ରଥ ଯାତ୍ରା କିନ୍ତୁ ତିଥି ଅନୁଯାୟୀ ପାଳନ ପାଇଁ ଅରାଜି ହୋଇଛି । ତେବେ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଇସ୍କନକୁ ଚିଠି ଲେଖିଛନ୍ତି ଗଜପତି ମହାରାଜା ।
ଇସ୍କନକୁ ଗଜପତି ମହାରାଜା ଚିଠି ଲେଖିଛନ୍ତି ଯେ , ଇସ୍କନ ଅଦିନିଆ ରଥ ଯାତ୍ରାକୁ ବନ୍ଦ କରୁ । ଶାସ୍ତ୍ରରେ ଲିଖିତ ତିଥି ଅନୁଯାୟୀ ଇସ୍କନ ରଥଯାତ୍ରା ସାରା ବିଶ୍ଵରେ ଆୟୋଜନ କରୁ । ଗଜପତି ମହାରାଜା ଗତ ୬ ସେପ୍ଟେମ୍ବର ୨୦୨୫ରେ ପଶ୍ଚିମବଙ୍ଗ ମାୟାପୁରରେ ଅବସ୍ଥିତ ଇସ୍କନ ଗଭର୍ଣିଂ ବଡି କମିଶନ ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ଜଣାଇଥିଲେ । ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଚୂଡାନ୍ତ ନିଷ୍ପତ୍ତି କ୍ରମେ, ବିଶ୍ଵର ବିଭିନ୍ନ ଦେଶରେ ଅବସ୍ଥିତ ଇସ୍କନ ମନ୍ଦିର ମାନେ ଶାସ୍ତ୍ର ଓ ପାରମ୍ପରିକ ରୀତିରେ ନିର୍ଦ୍ଦିଷ୍ଟ ତିଥି ଅନୁଯାୟୀ ମହାପ୍ରଭୁ ଜଗନ୍ନାଥଙ୍କ ସ୍ନାନ ଯାତ୍ରା ଓ ରଥଯାତ୍ରା ପାଳନ କରିବେ ।
ତେବେ ଇସ୍କନ ଜିବିସି ଅଧ୍ୟକ୍ଷ ତାଙ୍କ ୧୯ ଅକ୍ଟୋବର ୨୦୨୫ରେ ପତ୍ର ମାଧ୍ୟମରେ ଗଜପତି ମହାରାଜାଙ୍କୁ ଉତ୍ତର ଦେଇଛନ୍ତି, ଇସ୍କନ ଭାରତ ଓ ବିଦେଶରେ ସମସ୍ତ ମନ୍ଦିରରେ ଶାସ୍ତ୍ରରେ ଉଦ୍ଦିଷ୍ଟ ତିଥି ଜ୍ୟେଷ୍ଠ ପୂର୍ଣ୍ଣିମା ରେ ସ୍ନାନ ଯାତ୍ରା ପାଳନ କରିବାକୁ ସମ୍ମତ ହୋଇଥିଲେ ମଧ୍ୟ, ସେମାନେ ଶ୍ରୀଜଗନ୍ନାଥ ମନ୍ଦୀର ପରିଚାଳନା କମିଟିର ଶାସ୍ତ୍ର ଓ ପରମ୍ପରା ନିର୍ଦ୍ଧାରିତ ତିଥି ଅନୁଯାୟୀ, ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଠାରୁ ଆରମ୍ଭ ହେଉଥିବା ୯ ଦିନ ମଧ୍ୟରେ ଭାରତ ବାହାରେ ରଥଯାତ୍ରା ପାଳନ କରିବାର ନିଷ୍ପତ୍ତି ସହିତ ସହମତ ହୋଇପାରୁନାହାନ୍ତି ।
ତେବେ ଇସ୍କନ ଜିବିଶି ଅଧ୍ୟକ୍ଷଙ୍କ ପତ୍ରର ଉତ୍ତର ଦେଇ ଗଜପତି ମହାରାଜା ମଙ୍ଗଳବାର ଇସ୍କନ ଜିବିଶୀ ଅଧ୍ୟକ୍ଷଙ୍କୁ ଏକ ପତ୍ର ଲେଖି ସେମାନଙ୍କ ସିଦ୍ଧାନ୍ତର ପୁନର୍ବିଚାର କରିବାକୁ ଓ ପବିତ୍ର ଶାସ୍ତ୍ର ଏବଂ ପୁରାତନ ପାରମ୍ପରିକ ରୀତିର ସମ୍ମାନ ରଖି ସମସ୍ତ ଦେଶର ଇସ୍କନ ମନ୍ଦିର ମାନେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥି ଠାରୁ ଆରମ୍ଭ ହେଉଥିବା ନଅ ଦିନ ମଧ୍ୟରେ ରଥଯାତ୍ରା ପାଳନ ନେଇ ଗଜପତି ମହାରାଜା କହିଛନ୍ତି । ଗଜପତି ମହାରାଜାଙ୍କ ବ୍ୟକ୍ତିଗତ ସଚିବ ଏକ ପ୍ରେସ ବାର୍ତ୍ତା ଯୋଗେ ମିଡ଼ିଆକୁ ଏହି ସୂଚନା ଦେଇଛନ୍ତି।