ଭୁବନେଶ୍ୱର: ଆଉ କେଇଟା ଦିନ ପରେ ରାଜ୍ୟରେ ଆରମ୍ଭ ଶାରଦୀୟ ଦୁର୍ଗା ପୂଜା । ସେଥିପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କିନ୍ତୁ ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରୁ ଏକ ବଡ଼ ଖବର ଆସିଛି । ପୂଜା ପୂର୍ବରୁ ପୁଲିସକୁ ଛୁରା ମାଡ଼ ହୋଇଛି । ଫଳରେ ଜଣେ କନଷ୍ଟେବଳ ଆହତ ହୋଇଛନ୍ତି । ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚକେଇସିଆଣି ସ୍ଥିତ ଶ୍ରୀରାମନଗରରେ ଏହା କାଣ୍ଡ ହୋଇଛି ।
ଗତକାଲି ରାତି ପ୍ରାୟ ଗୋଟାଏ ବେଳେ ଶ୍ରୀରାମନଗରଠାରେ ହେବାକୁ ଥିବା ପୂଜା ପାଇଁ ପ୍ରସ୍ତୁତି ଚାଲିଥିଲା । ସେଠାରେ କାମ କରୁଥିବା ୪ ଯୁବକ ବସିଥିଲେ । ସେହିବାଟ ଦେଇ ଦୁଇ ଜଣ ଯୁବକ ବାଇକରେ ଦ୍ରୁତ ଗତିରେ ଆସି ହର୍ଣ୍ଣ ମାରିଥିଲେ । ରାତି ଅଧରେ ରାସ୍ତାରେ ଏମିତି ନ ହେବାକୁ ସେଠାରେ ବସିଥିବା ଯୁବକମାନେ କହିଥିଲେ । ଏହା ପରେ ଉଭୟ ପକ୍ଷ ମଧ୍ୟର ଯୁକ୍ତିତର୍କ ହୋଇଥିଲା । ଏହା ପରେ ବାଇକରେ ଆସିଥିବା ଦୁଇ ଜଣ ଯୁବକ ସେଠାରୁ ପଳାଇ ଯାଇଥିଲେ ଏବଂ ପୁଣି ଫେରି ଆସି ଛୁରାମାଡ଼ କରିଥିଲେ ।
ଏ ନେଇ ମଞ୍ଚେଶ୍ୱର ଥାନା ପୁଲିସକୁ ଖବର ଦିଆଯାଇଥିଲା । ଖବର ପାଇ ପିସିଆର ଭ୍ୟାନ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା । ପୁଲିସ ଉତ୍ତ୍ୟକ୍ତ ଯୁବକଙ୍କୁ କାବୁ କରିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ଉପରକୁ ଅଚାନକ ଛୁରା ମାଡ଼ କରିଥିଲେ । ଫଳରେ ଜଣେ କନଷ୍ଟେବଳ ଆହତ ହୋଇଥିଲେ । ଉଭୟ ଆହତଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଭିଯୁକ୍ତ ଜଣ ମଦ୍ୟ ପାନ କରିଥିଲା ବୋଲି ମଞ୍ଚେଶ୍ୱର ଥାନାଧିକାରୀ କହିଛନ୍ତି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।