କେନ୍ଦ୍ରାପଡ଼ା: ବ୍ରାହ୍ମଣୀ ନଦୀରେ ହଠାତ୍ ବଢ଼ିଲା ଜଳସ୍ତର। ଭୟଙ୍କର ବନ୍ୟାଜଳ ମାଡ଼ି ଆସିବାରୁ ପଟ୍ଟାମୁଣ୍ଡାଇ ଅଞ୍ଚଳର କୁଳସାହି ଆଶ୍ରମ ସ୍କୁଲରେ ପ୍ରାୟ ୩୦୦ ଛାତ୍ରଛାତ୍ରୀ ଫସି ରହିଥିବା ସୂଚନା ମିଳିଛି। ସ୍କୁଲ ପରିସରରେ ପ୍ରାୟ ୫ ଫୁଟ୍ ଉଚ୍ଚର ବନ୍ୟାଜଳ ଜମିଥିବାରୁ ପିଲାମାନଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଛି।
ଲଗାଣ ବର୍ଷା ଯୋଗୁଁ ବ୍ରାହ୍ମଣୀ ନଦୀର ଜଳସ୍ତର ଦ୍ରୁତଗତିରେ ବଢ଼ୁଥିବା ବେଳେ ନଦୀର ବନ୍ଧ ଡେଇଁ ବନ୍ୟାଜଳ ଅନେକ ଅଞ୍ଚଳକୁ ପ୍ରବେଶ କରିଛି। ପଟ୍ଟାମୁଣ୍ଡାଇ ସହରର ମହାବୀର ବଜାର ମଧ୍ୟ ଜଳମଗ୍ନ ହୋଇଛି। ବଜାର ଅଞ୍ଚଳରେ ଆଣ୍ଠୁଏରୁ ଅଧିକ ପାଣି ଜମିଥିବାରୁ ଯାତାୟାତ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ସେପଟେ ଆଳଭା ଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ସେଠାରେ ବିପଦ ସଙ୍କେତ ୪.୮୮ ମିଟର ଥିବା ବେଳେ ଜଳସ୍ତର ପ୍ରାୟ ୭.୭୨ ମିଟର ରହିଥିବା ଜଣାପଡ଼ିଛି।
ପେଣ୍ଠପାଳ ପଞ୍ଚାୟତର ସମିତି ସଭ୍ୟ ଶଶାଙ୍କ ଶେଖର ବିଶ୍ୱାଳଙ୍କ କହିବା ଅନୁସାରେ, ନଦୀ ନିକଟରେ ଥିବା ଏହି ଆଶ୍ରମ ସ୍କୁଲ ଭିତରେ ପ୍ରାୟ ୫ ଫୁଟ୍ ପାଣି ପଶିଛି। ପିଲାମାନଙ୍କ ପାଇଁ ଖାଦ୍ୟ ରୋଷେଇ ମଧ୍ୟ ହୋଇପାରିନାହିଁ ଏବଂ ସେମାନେ ଏପର୍ଯ୍ୟନ୍ତ ଉଦ୍ଧାର ହୋଇନଥିବା ସେ ଅଭିଯୋଗ କରିଛନ୍ତି। ତୁରନ୍ତ ପିଲାମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସେ ପ୍ରଶାସନକୁ ଅନୁରୋଧ କରିଛନ୍ତି।
ସୂଚନା ଅନୁସାରେ, ପରିସ୍ଥିତି ଜାଣିବା ପରେ ପଟ୍ଟାମୁଣ୍ଡାଇ BDO, ବ୍ଲକ ଅଧ୍ୟକ୍ଷ, WEO ଓ JEଙ୍କ ସହ ଯୋଗାଯୋଗ କରାଯାଇଛି। ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ଏକ ପାୱାରବୋଟ୍ ଓ ୩ଟି ମୋଟର ବୋଟ୍ ବ୍ୟବସ୍ଥା କରାଯାଉଥିବା ଜଣାପଡ଼ିଛି।
ବନ୍ୟାଜଳ ଯୋଗୁଁ ଅନେକ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ଥିବାରୁ ଉଦ୍ଧାର କାର୍ଯ୍ୟ ମଧ୍ୟ ଚ୍ୟାଲେଞ୍ଜିଂ ହୋଇପଡ଼ିଛି। ଏବେ ସମସ୍ତଙ୍କ ନଜର ପ୍ରଶାସନର ଉଦ୍ଧାର ଅଭିଯାନ ଉପରେ ରହିଛି।