ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପର୍ଯ୍ୟଟକଙ୍କ ପାଇଁ ଦୁଃଖଦ ଖବର ଆସିଛି । ପ୍ରାଣୀ ଉଦ୍ୟାନର ଲାଳନପାଳନ କେନ୍ଦ୍ରରେ ରହୁଥିବା ଏକ ଅଣ୍ଡିରା ବାଘ ଛୁଆ 'ପ୍ରିନ୍ସ'ର ମୃତ୍ୟୁ ଘଟିଛି । ବାଘ ଛୁଆଟିର ବୟସ ପ୍ରାୟ ୮ ମାସ ହୋଇଥିଲା । ବାଘ ଛୁଆଟିର ମୃତ୍ୟୁ ପରେ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୬କୁ ଖସି ଆସିଛି ।
ସୂଚନାଯୋଗ୍ୟ ୨୦୨୫ ଡିସେମ୍ବର ୨୭ରେ ବାଘ ‘ଅମିତ’ ଓ ବାଘୁଣୀ ‘ଜୟଶ୍ରୀ’ର ମିଳନରେ ୩ଟି ଶାବକ ଜନ୍ମ ହୋଇଥିଲେ । ସେଥିମଧ୍ୟରୁ ୨ଟି ଶାବକର ମୃତ୍ୟୁ ହୋଇଥିଲା । ବଞ୍ଚିଥିବା ଶାବକକୁ ବାଘୁଣୀ ଜୟଶ୍ରୀ ଗ୍ରହଣ କରିନଥିଲା । ତେଣୁ କର୍ତ୍ତୃପକ୍ଷ ଛୁଆକୁ ଅଲଗା କରି ଆଣି ଲାଳନପାଳନ କେନ୍ଦ୍ରରେ ରଖିଥିଲେ । ଗତ ୧୪ ତାରିଖ ରାତିରେ ଛୁଆଟି ହଠାତ ଅସୁସ୍ଥ ହେବା ସହିତ ଖାଇବା କମାଇ ଦେଇଥିଲା । ଦୁର୍ବଳ ହେବା ସହିତ ତା’ ଶରୀରର ତାପମାତ୍ରା ବୃଦ୍ଧି ପାଇଥିଲା । ପ୍ରାଣୀ ଚିକିତ୍ସକମାନେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ବିଭିନ୍ନ ନମୁନା ସଂଗ୍ରହ କରି ପରୀକ୍ଷା କରିଥିଲେ । ତାକୁ ଆଣ୍ଟିବାୟୋଟିକ୍, ଭିଟାମିନ ସହିତ ସାଲାଇନ ଦିଆଯାଇ ଚିକିତ୍ସା ଜାରି ରହିଥିଲା । ହେଲେ ବାଘ ଛୁଆଟିର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନଥିଲା ।
ଗତକାଲି ରବିବାର ହଠାତ୍ ତା’ର ମୃତ୍ୟୁ ହୋଇଥିଲା । ମୃତ୍ୟୁର କାରଣ ଜାଣିବା ପାଇଁ ନନ୍ଦନକାନନ କର୍ତ୍ତୃପକ୍ଷ ବ୍ୟବଚ୍ଛେଦ ପରେ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡିବ । ଏବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୨୬ଟି ବାଘ ଥିବାବେଳେ ସେଥିମଧ୍ୟରୁ ସାଧାରଣ ରଙ୍ଗର ୧୭ଟି ସେଥିରେ ୧୦ଟି ଅଣ୍ଡିରା ଓ ୭ଟି ମାଈ ଅଛନ୍ତି, ୫ଟି ଧଳା ବାଘ ମଧ୍ଯରେ ୩ ଅଣ୍ଡିରା ଓ ୨ ଟି ମାଈ ଏବଂ ମେଲାନିଷ୍ଟିକ୍ ବା କଳା ଲୋମଯୁକ୍ତ ୪ଟି ବାଘ ମଧ୍ଯରେ ୩ ଟି ଅଣ୍ଡିରା ଓ ଗୋଟିଏ ମାଈ ବାଘ ରହିଛନ୍ତି ।