ଭୁବନେଶ୍ୱର : ଅନ୍ତରୀଣ ଡିଜିପି ଭାବେ ଆଇପିଏସ ବିନୟତୋଷ ମିଶ୍ର ଦାୟିତ୍ବ ଦାୟିତ୍ୱ ଗ୍ରହଣ ପରେ ସୋମବାର ଲୋକଭବନରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ତାଙ୍କୁ ଶୁଭେଛା ଜଣାଇଛନ୍ତି। ବିନୟତୋଷଙ୍କ ନୂତନ ଦାୟିତ୍ୱ ପାଇଁ ରାଜ୍ୟପାଳ ସଫଳତା କାମନା କରିଛନ୍ତି। ଏଥିସହ ଓଡିଶାର ଲୋକଙ୍କ ସୁରକ୍ଷା ଦିଗରେ ବିନୟତୋଷଙ୍କ ଏକ ପୂର୍ଣ୍ଣ ସଫଳ କାର୍ଯ୍ୟକାଳ କାମନା କରିଛନ୍ତି।
ରାଜ୍ଯପାଳଙ୍କୁ ଭେଟିବା ପୂର୍ବରୁ ଆଇପିଏସ ବିନୟତୋଷ ମିଶ୍ର ରବିବାର ରାତିରେ ପୁରୀ ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି।ପୋଲିସ ମହାନିର୍ଦ୍ଦେଶକ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତାଙ୍କୁ ଶ୍ରୀମନ୍ଦିର ସମ୍ମୁଖରେ ସ୍ୱାଗତ କରାଯାଇଥିଲା। ପରେ ସେ ଶ୍ରୀମନ୍ଦିର ଭିତରକୁ ଯାଇ ରତ୍ନସିଂହାସନରେ ବିରାଜମାନ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଦର୍ଶନ କରି ଆଶିଷ ଲାଭ କରିଥିଲେ। ଶ୍ରୀମନ୍ଦିର ବେଢ଼ା ମଧ୍ୟରେ ଥିବା ମା’ ବିମଳା, ମା’ ମହାଲକ୍ଷ୍ମୀଙ୍କ ସମେତ ପାର୍ଶ୍ୱଦେବାଦେବୀଙ୍କୁ ଦର୍ଶନ କରିଥିଲେ। ଏହି ସମୟରେ ପୁରୀ ଏସ୍ପି ପ୍ରତୀକ ସିଂଙ୍କ ସମେତ ଜିଲାର ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ମଧ୍ଯ ଉପସ୍ଥିତ ଥିଲେ।