କଟକ: ଜଗତପୁର ଥାନା ଅଞ୍ଚଳରେ ଏକାଧିକ ଘରେ ଚୋରି କରି ପୁଲିସକୁ ଚ୍ୟାଲେଞ୍ଜ ଦେଉଥିବା ଅଭ୍ୟାସଗତ ଚୋର ଗ୍ୟାଙ୍ଗ୍ ଉପରୁ ପରଦା ଉଠାଇଛି ଜଗତପୁର ପୁଲିସ। ଚଳିତ ମାସ ୧୧ ତାରିଖରେ ଘଟିଥିବା ଏକ ଚୋରି ମାମଲାର ତଦନ୍ତ କରି ପୁଲିସ ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ପ୍ରାୟ ୬୦୦ ଗ୍ରାମ ସୁନା ଓ ରୁପା ଅଳଙ୍କାର ଜବତ କରିଛି।
ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ କେନ୍ଦୁଝର ଜିଲ୍ଲା ଟମକା ଥାନା ଅଧୀନ ବାଗପାଟିଆ ଗାଁର ରବୀନ୍ଦ୍ର ପାତ୍ର (୩୦) ଏବଂ ଯାଜପୁର ରୋଡ୍ ଥାନା ଅଧୀନ ଲକ୍ଷ୍ମୀନଗରର କୃଷ୍ଣ ଦାସ (୨୭) ଓରଫ ସାନବୁଟୁରୁ। ପୁଲିସ ସୂଚନା ଅନୁସାରେ, ସାନବୁଟୁରୁ ନାମରେ ବିଭିନ୍ନ ଥାନାରେ ୨୬ଟି ଅପରାଧିକ ମାମଲା ଥିବାବେଳେ ରବୀନ୍ଦ୍ରଙ୍କ ନାମରେ ୧୨ଟି ମାମଲା ରହିଛି।
ସୂଚନା ଅନୁସାରେ, ଜଗତପୁର ଥାନାରେ ଭାସ୍କର ପାଢ଼ୀଙ୍କ ଅଭିଯୋଗ ପରେ ପୁଲିସ କେସ୍ ନମ୍ବର ୫୨୯/୨୦୨୬ରେ BNS ଧାରା ୩୩୧(୪) ଓ ୩୦୫(କ) ଅନୁଯାୟୀ ମାମଲା ରୁଜୁ କରିଥିଲା। ୧୧ ତାରିଖରେ ଭାସ୍କର ନିଜ ଦୋକାନକୁ ଯାଇଥିବା ସମୟରେ ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ୍ତ ଘରେ ପଶି ଆଲମାରୀରୁ ସୁନା ଓ ରୁପା ଗହଣା ଚୋରି କରିଥିଲେ।
ଏହି ଘଟଣାର ତଦନ୍ତ ବେଳେ ପୂର୍ବରୁ ଜଗତପୁର ଅଞ୍ଚଳରେ ସମାନ ଢଙ୍ଗରେ ଘଟିଥିବା ଅନେକ ଗୃହଚୋରି ସହ ଲିଙ୍କ୍ ଥିବା ନେଇ ପୁଲିସକୁ ସୁରାକ୍ ମିଳିଥିଲା। ମାମଲା ରୁଜୁ ହେବା ପରେ ଜଗତପୁର ପୁଲିସ ଓ ଜିଲ୍ଲା ଫୋରେନ୍ସିକ୍ ଟିମ୍ ଘଟଣାସ୍ଥଳରେ ଯାଞ୍ଚ କରି ବିଭିନ୍ନ ପ୍ରମାଣ ସଂଗ୍ରହ କରିଥିଲେ। ଚୋରଙ୍କ ଆସିବା ଓ ଯିବା ରାସ୍ତାର CCTV ଫୁଟେଜ୍କୁ ଯାଞ୍ଚ କରାଯିବା ସହ ସନ୍ଦିଗ୍ଧଙ୍କ ଗତିବିଧି ଓ ବ୍ୟବହୃତ ଗାଡ଼ି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥିଲା।
ଏହାସହ RTO ଓ ଅନ୍ୟ ସଂସ୍ଥା ସହ ସମନ୍ୱୟ କରି ପୁଲିସ ଡିଜିଟାଲ୍ ବିଶ୍ଳେଷଣ ମଧ୍ୟ କରିଥିଲା। ତଦନ୍ତରୁ ଅଭ୍ୟାସଗତ ଅପରାଧୀଙ୍କ ସମ୍ପୃକ୍ତି ନେଇ ସୁରାକ୍ ମିଳିବା ପରେ ଦୁଇ ଅଭିଯୁକ୍ତଙ୍କୁ କାବୁ କରାଯାଇଥିଲା।
ପୁଲିସ ଜେରା ବେଳେ ଅଭିଯୁକ୍ତମାନେ ଚୋରିରେ ସମ୍ପୃକ୍ତି ସ୍ୱୀକାର କରିଥିବା ଏବଂ ସେମାନଙ୍କ ସୂଚନା ଆଧାରରେ ଚୋରି ହୋଇଥିବା ପ୍ରାୟ ୬୦୦ ଗ୍ରାମ ସୁନା ଓ ରୁପା ଅଳଙ୍କାର ଜବତ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି। ସିରିଜ୍ ଚୋରି ଘଟଣାରେ ଆହୁରି କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ତଦନ୍ତ ଜାରି ରହିଛି।