ଭୁବନେଶ୍ୱର : ଆସନ୍ତାକାଲି ଯାଜପୁର ଜିଲ୍ଲାରେ ପୁଣି ସ୍କୁଲ ଏବଂ ଅଙ୍ଗନବାଡି ଛୁଟି ଘୋଷଣା କରାଯାଇଛି । ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ଯାଜପୁର ଜିଲ୍ଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି । ଲଗାଣ ବର୍ଷା ଓ ବନ୍ୟା ଏବେ ଭୟଙ୍କର ରୂପ ନେଇଛି। ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବା ସହ ଅନେକ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି ।
ସୂଚନା ଯୋଗ୍ୟ ଏହି ନିର୍ଦ୍ଦେଶ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟ ସମେତ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ଲାଗୁ ହେବ । ସମସ୍ତ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ବନ୍ଦ ରହିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି।
ତେବେ ପ୍ରଶାସନ ସ୍ପଷ୍ଟ କରିଛି ଯେ ବିଦ୍ୟାଳୟ ବନ୍ଦ ରହିଲେ ମଧ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସଜାଗ ରହିବେ । ଜରୁରୀ ପରିସ୍ଥିତିରେ ପ୍ରଶାସନ ଡାକିଲେ ସେମାନଙ୍କୁ ତୁରନ୍ତ ଦାୟିତ୍ୱ ନେବାକୁ ପଡ଼ିବ । ଲଗାତାର ବର୍ଷା ଯୋଗୁଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରାସ୍ତାଘାଟରେ ପାଣି ଜମିଥିବା ବେଳେ କିଛି ଅଞ୍ଚଳରେ ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ସ୍କୁଲ ଯାତାୟାତ ବିପଦପୂର୍ଣ୍ଣ ହୋଇପାରେ ବୋଲି ପ୍ରଶାସନ ଆକଳନ କରିଛି । ତେଣୁ ଅଭିଭାବକମାନଙ୍କୁ ମଧ୍ୟ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ପିଲାମାନଙ୍କୁ ନଦୀ, ନାଳ କିମ୍ବା ଜଳମଗ୍ନ ସ୍ଥାନ ନିକଟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଆବଶ୍ୟକ ନଥିଲେ ଘରୁ ବାହାରକୁ ନଯିବାକୁ ମଧ୍ୟ କୁହାଯାଇଛି। ଜିଲ୍ଲାର ବିଭିନ୍ନ ଆଶ୍ରୟସ୍ଥଳରେ ଲୋକଙ୍କୁ ଉଭୟ ରନ୍ଧା ଏବଂ ଶୁଖିଲା ଖାଦ୍ୟ ପରିବେଷଣ କରାଯାଉଛି ।
ପାଣିପାଗ ବିଭାଗ ପକ୍ଷରୁ ଆଗକୁ ବର୍ଷା ଜାରି ରହିବା ନେଇ ଆଲର୍ଟ କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପରିସ୍ଥିତି ଉପରେ କଡ଼ା ନଜର ରଖିଛି । ବର୍ଷାର ପରିମାଣ ଅନୁଯାୟୀ ଆଗାମୀ ଦିନରେ ମଧ୍ୟ ଆବଶ୍ୟକ ପଦକ୍ଷେପ ନିଆଯାଇପାରେ ।