ଭୁବନେଶ୍ୱର: ଜଳସେଚନ ବ୍ୟବସ୍ଥାକୁ ଅଧିକ ଦକ୍ଷ, ଆଧୁନିକ ଓ ଚାଷୀକୈନ୍ଦ୍ରିକ କରିବା ଦିଗରେ ଓଡ଼ିଶା ସରକାରଙ୍କ ବଡ଼ ପଦକ୍ଷେପ। ଜଳ ସମ୍ପଦ ବିଭାଗ ପକ୍ଷରୁ ଲୋକସେବା ଭବନର କନଭେନସନ୍ ସେଣ୍ଟରରେ ‘ସ୍ମାର୍ଟ ଇରିଗେସନ୍ ଆଣ୍ଡ ଡିମାଣ୍ଡ-ଡ୍ରିଭେନ୍ ୱାଟର ମ୍ୟାନେଜମେଣ୍ଟ ଟେକ୍ନୋଲୋଜି, ଇନୋଭେସନ୍ସ ଆଣ୍ଡ ପାଥୱେଜ୍ ଟୁ ସ୍କେଲ୍’ ଶୀର୍ଷକ ଏକଦିନିଆ କର୍ମଶାଳା ଆୟୋଜିତ ହୋଇଛି।
JICA ଓ Nippon Koei ସହଯୋଗରେ ଆୟୋଜିତ ଏହି କର୍ମଶାଳାରେ ନୀତି ନିର୍ଦ୍ଧାରକ, ବରିଷ୍ଠ ଅଧିକାରୀ, ଇଞ୍ଜିନିୟର ଓ ବିଭିନ୍ନ ବୈଷୟିକ ବିଶେଷଜ୍ଞ ଯୋଗଦେଇ ଆଧୁନିକ ଜଳସେଚନ ଓ ଜଳ ପରିଚାଳନା ବ୍ୟବସ୍ଥା ନେଇ ଆଲୋଚନା କରିଛନ୍ତି।
ବଦଳୁଥିବା ପାଣିପାଗ, ବର୍ଷାର ଅନିୟମିତତା ଓ ବିଭିନ୍ନ କ୍ଷେତ୍ରରେ ବଢୁଥିବା ଜଳ ଚାହିଦାକୁ ଦୃଷ୍ଟିରେ ରଖି କେବଳ ଜଳସେଚନ ଭିତ୍ତିଭୂମି ନିର୍ମାଣ ନୁହେଁ, ବରଂ ଜଳର ସୁଦକ୍ଷ ବ୍ୟବହାର ଓ ଚାଷୀଙ୍କ ଆବଶ୍ୟକତା ଅନୁସାରେ ଜଳ ପରିଚାଳନା ଉପରେ ଗୁରୁତ୍ୱ ଦିଆଯାଇଛି। କର୍ମଶାଳାରେ ଡିଜିଟାଲ୍ ଟେକ୍ନୋଲୋଜି, ରିଅଲ୍-ଟାଇମ୍ ତଥ୍ୟ, ଡାଟା ଆଧାରିତ ନିଷ୍ପତ୍ତି ଓ ଆଧୁନିକ ମନିଟରିଂ ବ୍ୟବସ୍ଥାକୁ ଜଳସେଚନ କ୍ଷେତ୍ରରେ କିପରି ବ୍ୟବହାର କରାଯାଇପାରିବ, ସେନେଇ ବିଶେଷଜ୍ଞମାନେ ମତ ରଖିଥିଲେ।
ପ୍ରମୁଖ ସଚିବ ଶୁଭା ଶର୍ମା କହିଥିଲେ, ଜଳସେଚନର ସୁବିଧା କେବଳ ନିଶ୍ଚିତ ଜଳ ଯୋଗାଣରେ ସୀମିତ ନରହି ଫସଲ ବିବିଧକରଣ, କୃଷି ଉତ୍ପାଦନ ବୃଦ୍ଧି ଓ ଚାଷୀଙ୍କ ଜୀବିକାର ଉନ୍ନତି ସହ ଯୋଡ଼ିବା ଆବଶ୍ୟକ। ବୈଷୟିକ ଅଧିବେଶନରେ OIIPCRA ଅଧୀନରେ ଜଳବାୟୁ ସହନଶୀଳ ଜଳସେଚନ, କ୍ଷୁଦ୍ର ଜଳସେଚନ ଟ୍ୟାଙ୍କ, ଟ୍ୟାଙ୍କ ପୁନରୁଦ୍ଧାର, ପାଣି ପଞ୍ଚାୟତ, ଜଳବାୟୁ ସହନଶୀଳ କୃଷି ଓ ମତ୍ସ୍ୟଚାଷ ସହ ଜୀବିକା କାର୍ଯ୍ୟକ୍ରମର ସମନ୍ୱୟ ଉପରେ ଆଲୋଚନା ହୋଇଥିଲା।
ଏହାସହ ଝାଡ଼ଖଣ୍ଡର ଡ୍ରିପ୍ ଇରିଗେସନ୍ ଓ ଫସଲ ବିବିଧକରଣ, ରାଜସ୍ଥାନର ଜଳ କ୍ଷେତ୍ର ଜୀବିକା ଉନ୍ନତି ପ୍ରକଳ୍ପ ଏବଂ ଜାପାନ ଓ ଇଣ୍ଡୋନେସିଆର ଡିଜିଟାଲ୍ ଜଳ ପରିଚାଳନା ଅଭିଜ୍ଞତା ଉପରେ ମଧ୍ୟ ମତବିନିମୟ ହୋଇଥିଲା।
ସ୍ମାର୍ଟ ଇରିଗେସନ୍ ପାଇଁ ପ୍ରଯୁକ୍ତିର ବ୍ୟବହାର, ରିଅଲ୍-ଟାଇମ୍ ତଥ୍ୟ ଓ ଡାଟା ଆଧାରିତ ଯୋଜନାକୁ ଗୁରୁତ୍ୱ ଦେଇ ଭବିଷ୍ୟତରେ ଓଡ଼ିଶାର ଜଳସେଚନ ବ୍ୟବସ୍ଥାକୁ ଆହୁରି ଚାଷୀକୈନ୍ଦ୍ରିକ ଓ ଦକ୍ଷ କରିବା ଉପରେ କର୍ମଶାଳାରେ ଗୁରୁତ୍ୱାରୋପ କରାଯାଇଛି।