ଭୁବନେଶ୍ୱର: ଶିଶୁଙ୍କ ଅଧିକାର ଓ ସୁରକ୍ଷାକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ନୂଆ କରି ଦାୟିତ୍ୱ ନେଇଥିବା ଶିଶୁ କଲ୍ୟାଣ କମିଟି (CWC) ସଦସ୍ୟଙ୍କ ପାଇଁ ଆରମ୍ଭ ହୋଇଛି ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ଭୁବନେଶ୍ୱରସ୍ଥିତ ଷ୍ଟେଟ୍ ଇନଷ୍ଟିଚ୍ୟୁଟ୍ ଫର୍ ଓମେନ୍ ଆଣ୍ଡ ଚିଲଡ୍ରେନ୍ (SIWC) କ୍ୟାମ୍ପସରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହି ପ୍ରଶିକ୍ଷଣର ଦ୍ୱିତୀୟ ବ୍ୟାଚ୍କୁ ଉଦ୍ଘାଟନ କରିଛନ୍ତି।
ଏହି ବ୍ୟାଚ୍ରେ ରାଜ୍ୟର ୨୭ଟି ଜିଲ୍ଲାରୁ ମୋଟ ୫୮ ଜଣ CWC ସଦସ୍ୟ ଅଂଶଗ୍ରହଣ କରିଛନ୍ତି। ପ୍ରଶିକ୍ଷଣରେ ଶିଶୁ ଅଧିକାର, ଶିଶୁ ସୁରକ୍ଷା ଏବଂ ଯତ୍ନ ଆବଶ୍ୟକ କରୁଥିବା ଶିଶୁଙ୍କ ପ୍ରତି ଅଧିକ ସମ୍ବେଦନଶୀଳ ଓ ଅଧିକାରଭିତ୍ତିକ ଆଭିମୁଖ୍ୟ ଉପରେ ଗୁରୁତ୍ୱ ଦିଆଯିବ।
କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ନିଷ୍ପତ୍ତି ଓ ପଦକ୍ଷେପରେ ଶିଶୁଙ୍କ ସର୍ବୋତ୍ତମ ସ୍ୱାର୍ଥକୁ ପ୍ରାଥମିକତା ଦିଆଯିବା ଆବଶ୍ୟକ। CWC ସଦସ୍ୟମାନେ ସମ୍ବେଦନଶୀଳତା, ସହାନୁଭୂତି ଓ ନିଷ୍ଠାର ସହ ନିଜ ଦାୟିତ୍ୱ ତୁଲାଇବାକୁ ସେ ଆହ୍ୱାନ ଦେଇଛନ୍ତି। ଶିଶୁ କଲ୍ୟାଣ କ୍ଷେତ୍ରରେ ସମସ୍ତ ହିତଧାରୀଙ୍କ ମଧ୍ୟରେ ସମନ୍ୱୟର ଆବଶ୍ୟକତା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ।
ଏହାସହ ପ୍ରଭାତୀ ପରିଡ଼ା ପ୍ରଶିକ୍ଷଣାର୍ଥୀଙ୍କ ସହ ଆଲୋଚନା କରି ତୃଣମୂଳ ସ୍ତରରେ ଶିଶୁ କଲ୍ୟାଣ ସମ୍ବନ୍ଧୀୟ କାର୍ଯ୍ୟ ସମୟରେ ସେମାନେ ସାମ୍ନା କରୁଥିବା ସମସ୍ୟା ଓ ଅଭିଜ୍ଞତା ବିଷୟରେ ଜାଣିଥିଲେ।
ପ୍ରଥମ ବ୍ୟାଚ୍ରେ ୭୮ ଜଣ CWC ସଦସ୍ୟଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ବର୍ତ୍ତମାନର ଦ୍ୱିତୀୟ ବ୍ୟାଚ୍ ମାଧ୍ୟମରେ ଶିଶୁ କଲ୍ୟାଣ କମିଟିର ସଦସ୍ୟମାନଙ୍କ ଦକ୍ଷତା ବୃଦ୍ଧି ସହ ଶିଶୁ-କୈନ୍ଦ୍ରିକ ଓ ଅଧିକାରଭିତ୍ତିକ କାର୍ଯ୍ୟପ୍ରଣାଳୀକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟ ରହିଛି।
କାର୍ଯ୍ୟକ୍ରମରେ OSCPCR ଅଧ୍ୟକ୍ଷା ବବିତା ପାତ୍ର, WCD କମିଶନର-କମ୍-ସଚିବ ଡା. ମୃଣାଳିନୀ ଦର୍ସୱାଲ, ICDS ଓ SW ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, UNICEF CFO ରିନି କୁରିଆନ୍ ଏବଂ WCD ବିଭାଗର ଅତିରିକ୍ତ ସଚିବ ସୁମିତ୍ରା ପଟ୍ଟନାୟକଙ୍କ ସମେତ CWC ସଦସ୍ୟ ଓ UNICEF ପ୍ରତିନିଧିମାନେ ଉପସ୍ଥିତ ଥିଲେ।