ବଲାଙ୍ଗୀର: ସରକାରୀ ଧାନ କିଣାରେ ବଡ଼ ଅନିୟମିତତା ଓ ଅର୍ଥ ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପୂର୍ବତନ PACS ସମ୍ପାଦକଙ୍କୁ ଗିରଫ କରିଛି। ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ଅଧୀନ ତୁଷୁରା ପ୍ରାଥମିକ କୃଷି ସମବାୟ ସମିତି (PACS)ର ପୂର୍ବତନ ସମ୍ପାଦକ ସନୋଜ କୁମାର ମିଶ୍ରଙ୍କୁ ୪୨ ଲକ୍ଷ ୩୧ ହଜାର ୬୦୮ ଟଙ୍କାର ସରକାରୀ ଧାନ ପାଣ୍ଠି ହେରଫେର ମାମଲାରେ ଗିରଫ କରାଯାଇଛି। ଗିରଫ ପରେ ତାଙ୍କୁ ବଲାଙ୍ଗୀରର ଭିଜିଲାନ୍ସ ସ୍ପେଶାଲ ଜଜ୍ଙ୍କ କୋର୍ଟରେ ହାଜର କରାଯାଇଛି।
ସୂଚନା ଅନୁସାରେ, ଖରିଫ ମାର୍କେଟିଂ ସିଜନ୍ (KMS) ୨୦୧୪-୧୫ ସମୟରେ ତୁଷୁରା PACSର ସମ୍ପାଦକ ଭାବେ ସନୋଜ କୁମାର ମିଶ୍ର ଚାଷୀଙ୍କଠାରୁ ସରକାରୀ ଅର୍ଥରେ ଧାନ କିଣିବା ଏବଂ ପରେ ନିର୍ଦ୍ଧାରିତ ରାଇସ୍ ମିଲର୍ଙ୍କ ନିକଟକୁ ଧାନ ପଠାଇବା ଦାୟିତ୍ୱରେ ଥିଲେ।
କିନ୍ତୁ ତଦନ୍ତ ସମୟରେ ବହୁ ପରିମାଣର ଧାନ ଟ୍ୟାଗ୍ ହୋଇଥିବା ମିଲର୍ଙ୍କ ନିକଟକୁ ପଠାଯାଇନଥିବା ଏବଂ ସମବାୟ ସମିତିର ଷ୍ଟକ୍ ରେଜିଷ୍ଟରରେ ମଧ୍ୟ ଠିକ୍ ଭାବେ ଦାଖଲ ହୋଇନଥିବା ଭିଜିଲାନ୍ସ ଜାଣିବାକୁ ପାଇଥିଲା। ଧାନର ଭୌତିକ ଭାବେ ଅନୁପସ୍ଥିତି ସହ ହିସାବପତ୍ରରେ ଅନିୟମିତତା କରାଯାଇଥିବା ଅଭିଯୋଗ ହୋଇଛି।
ଏହି ଅନିୟମିତତା ଯୋଗୁଁ ସରକାରୀ ଧାନ କିଣା ପାଇଁ ଦିଆଯାଇଥିବା ଅର୍ଥର ବେଆଇନ ଭାବେ ବିନିଯୋଗ ହୋଇଥିବା ଏବଂ ସମିତିକୁ ୪୨,୩୧,୬୦୮ ଟଙ୍କାର ସିଧାସଳଖ ଆର୍ଥିକ କ୍ଷତି ହୋଇଥିବା ତଦନ୍ତରୁ ଜଣାପଡ଼ିଛି।
ଏହି ମାମଲାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୧୨, ତାରିଖ ୧୬.୦୮.୨୦୨୬ ରୁଜୁ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ Prevention of Corruption Act, 1988ର ଧାରା ୧୩(୨) ସହ ୧୩(୧)(c) ଏବଂ IPC ଧାରା ୪୦୯ ଅନୁଯାୟୀ ମାମଲା ରୁଜୁ କରାଯାଇଛି। ମାମଲାରେ ଆହୁରି କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଧାନ ଓ ସରକାରୀ ଅର୍ଥ ହେରଫେରର ପରିମାଣ କେତେ, ସେନେଇ ଭିଜିଲାନ୍ସର ତଦନ୍ତ ଜାରି ରହିଛି।