ସମ୍ବଲପୁର: ହାତୀ ଘଉଡ଼ାଇବାକୁ ଯାଇଥିବାବେଳେ କଚାଡ଼ି ମାରି ଦେଲା ହାତୀ । ଫଳରେ ଘଟଣା ସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ସମ୍ବଲପୁର ଜିଲ୍ଲା ପଡିଆବାହାଲ ବନାଞ୍ଚଳ ଅନ୍ତର୍ଗତ ଜାମଲୋଇ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦେହୁରୀ (୩୮) । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇଛି ।
ଗତକାଲି ରାତିରେ ପଡିଆବାହାଲ ବନାଞ୍ଚଳ ଅନ୍ତର୍ଗତ ଜାମଲୋଇ ଗ୍ରାମର ନୂଆବନ୍ଧ ନିକଟରେ ଏକ ହାତୀ ପଲ ପଶି ଫସଲ ନଷ୍ଟ କରୁଥିଲେ । ଗ୍ରାମବାସୀମାନଙ୍କ ସହ ପୂର୍ଣ୍ଣଚନ୍ଦ୍ର ମଧ୍ୟ ହାତୀ ଘଉଡ଼ାଇବା ପାଇଁ ଯାଇଥିଲେ । କିନ୍ତୁ ଅନ୍ଧାର ରାତିରେ ତାଙ୍କର ଆଉ କୌଣସି ସନ୍ଧାନ ମିଳିନଥିଲା । ତେବେ ଆଜି ସକାଳ 6ଟା ସମୟରେ ତାଙ୍କ କ୍ଷତ ବିକ୍ଷତ ରକ୍ତ ଜୁଡୁବୁଡୁ ମୃତଦେହ ନୂଆବନ୍ଧ ନିକଟରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ । ରାତିରେ ହାତୀ ତାଙ୍କୁ ଆକ୍ରମଣ କରି ଦଳି ଦେଇଥିବାରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ଖବର ପାଇ ପଡିଆବାହାଲ ବନାଞ୍ଚଳର ବନ ବିଭାଗ ଟିମ୍ ଘଟଣାସ୍ଥଳରେ ପହଁଚିଛି । ପୂର୍ଣ୍ଣଚନ୍ଦ୍ରଙ୍କ ଏପରି ଅକାଳ ବିୟୋଗକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଘଟଣାର ଯାଞ୍ଚ କରୁଛି ବନ ବିଭାଗ ଟିମ୍ ।