ଭୁବନେଶ୍ୱର: ତିନି ଦିନ ହେଲାଣି ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଜାରି ରଖିଛି ଡ୍ରାଇଭର ମହାସଂଘ । ୭ ଦଫା ଦାବିରେ ଅଟଳ ରହିଛି ରାଜ୍ୟ ଡ୍ରାଇଭର ସଂଘ । ଗମନାଗମନ ସହିତ ଅନ୍ୟାନ୍ୟ ଅତ୍ୟାବଶକ ସାମଗ୍ରୀ ଉପରେ ପ୍ରଭାବ ପଡ଼ିଛି । ଅନ୍ୟପକ୍ଷରେ ତେଲ ସଙ୍କଟ ଆଶଙ୍କାରେ ପେଟ୍ରୋଲ ପମ୍ପ୍ ନିକଟରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି । ରାଜ୍ୟରେ ତେଲ ସଙ୍କଟ ବିଲୁକୁଲ ନାହିଁ । ଅଯଥା ପେଟ୍ରୋଲ ପମ୍ପରେ ଭିଡ଼ ନ କରିବାକୁ କହିଛନ୍ତି ପେଟ୍ରୋଲିୟମ୍ ଡିଲର୍ ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ । ଆଜି ସୁଦ୍ଧା ସମସ୍ତ ସମସ୍ୟାର ସମାଧାନ ହୋଇଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।
ଯୋଗାଣ ମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଆଜି ରାତି ସୁଦ୍ଧା ଡ୍ରାଇଭର ସଂଘ ସହିତ ଆଲୋଚନା ପରେ ସମସ୍ୟାର ସମାଧାନ ହୋଇଯିବ । ଡ୍ରାଇଭରମାନଙ୍କ ପ୍ରାୟ ଦାବି ସରକାର ମାନି ନେବେ । ରାଜ୍ୟରେ ତେଲର ଅଭାବ କରାଇ ଦେବୁ ନାହିଁ । ଟାଙ୍କିରେ ତେଲ ମହଜୁତ ରହିଛି, ତେଣୁ କେହି ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି । ସେହିପରି ଦୋକାନ ବଜାରରେ ଖାଦ୍ୟ ସାମଗ୍ରୀର ଅଭାବ ନାହିଁ । ଯଦି କେହି ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ କରିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
ଗତାକାଲି ରାଜ୍ୟର ବିଭିନ୍ନ ସ୍ଥାନକୁ ୧୦୦ଟି ଟ୍ୟାଙ୍କର ଯାଇଥିବାବେଳେ ଆଜି ମଧ୍ୟ ୧୫୦ ଟ୍ୟାଙ୍କର ଆସି ପହଁଚିସାରିଛି । ପେଟ୍ରୋଲ୍ ପମ୍ପ୍ରେ ତେଲ ସରିଯିବା ଆଶଙ୍କା ଆଉ ନାହିଁ । ଯଦି ପେଟ୍ରୋଲ ପମ୍ପରେ ଏଭଳି ଅବସ୍ଥା ଲାଗି ରୁହେ ତେବେ କୃତ୍ରିମ ଅଭାବ ସୃଷ୍ଟି ହେବ ବୋଲି କହିଛନ୍ତି ସଞ୍ଜୟ ଲାଠ ।
ସେହିପରି ପାରାଦ୍ୱୀପରୁ ୪୫ଟି ଟ୍ୟାଙ୍କର ଡିପୋରୁ ଜଗତସିଂହପୁରରୁ ବିଭିନ୍ନ ଜିଲ୍ଲାକୁ ଯାଇଛି । କଡ଼ା ସୁରକ୍ଷା ବଳୟ ଭିତରେ ଟ୍ୟାଙ୍କର ଗୁଡ଼ିକ ବାହାରିଛି ।