ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ହିରଲୀପାଲ୍ଲି ଗାଁରେ ଝାଡ଼ାବାନ୍ତିରେ ୬୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣ ଗୁରୁତର ହୋଇଛନ୍ତି । ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଝାଡ଼ାବାନ୍ତି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇଦେଇଛି । ଏନେଇ ବରଗଡ଼ ସିଡିଏମ୍ଓ, ଗ୍ରାମ୍ୟ ଜଳଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ଗାଁରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।
ଲୋକମାନଙ୍କୁ ସତର୍କ ରହିବା ସହିତ ପରିବେଶକୁ ସ୍ୱଚ୍ଛ ରଖିବା ଓ ବିଶୁଦ୍ଧ ପାନୀୟ ପିଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଶା, ସ୍ବାସ୍ଥ୍ୟକର୍ମୀ ଘରକୁ ଘର ବୁଲି ସଚେତନ କରାଇବା ସହ ଔଷଧ ଦେବା ସହିତ ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ବ୍ଲିଚିଂ ପାଉଡର ସିଞ୍ଚନ କରୁଛନ୍ତି। ପାନୀୟ ଜଳ ପାଇଁ ସଂକ୍ରମଣ ହୋଇ ଥାଇପାରେ ବୋଲି ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ରବିନାରାୟଣ ମିଶ୍ର କହିଛନ୍ତି।
ବିଭିନ୍ନ ସ୍ଥାନରେ ପାଣି ପାଇପ୍ ଫାଟିଥିବା କାରଣରୁ ଦୂଷିତ ପାଣିକୁ ଲୋକମାନେ ବ୍ୟବହାର କରୁଛନ୍ତି । ତେବେ ଝାଡ଼ାବାନ୍ତିର କାରଣ ଜଣାପଡିନାହିଁ । ପାଣି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇବା ସହିତ ଲୋକଙ୍କୁ ସଚେତନ କରାଯାଉଛି ।