ନୟାଗଡ଼: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ୍ କାର୍ଯ୍ୟାଳୟରେ ପଞ୍ଚାୟତ ସମିତି ବୈଠକରେ ଦଶପଲ୍ଲା ବିଧାୟକ ରାଗି ଯାଇଛନ୍ତି । ବିଡ଼ିଓଙ୍କ ଉପରେ ଖପ୍ପା ହୋଇ ହଠାତ୍ ବୈଠକରୁ ଉଠି ଫାଇଲ୍ ଫୋପାଡ଼ି ଚାଲି ଯାଇଛନ୍ତି ଦଶପଲ୍ଲା ବିଜେଡ଼ି ବିଧାୟକ ରମେଶ ଚନ୍ଦ୍ର ବେହେରା ।
ଆଜି ନୂଆଗାଁ ବ୍ଲକ୍ କାର୍ଯ୍ୟାଳୟରେ ପଞ୍ଚାୟତ ସମିତିର ଦଶମ ଅଧିବେଶନ ବୈଠକ ବସିଥିଲା । ଏଥିରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ବିଡ଼ିଓ ଏବଂ ଅନ୍ୟାନ୍ୟ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ବ୍ଲକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡ଼ିଥିବା ଜାଣିବାକୁ ପାଇବା ପରେ ହଠାତ୍ ରାଗି ଯାଇଥିଲେ ବିଧାୟକ । ବିଡ଼ିଓଙ୍କ ଉପରେ ଗର୍ଜିବା ସହିତ ଫାଇଲ୍ ପିଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।
ବିଧାୟକ କହିଛନ୍ତି ଯେ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ ଆସିଥିବା କାର୍ଯ୍ୟ ଆରମ୍ଭ ହୋଇ ନାହିଁ । ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଧ୍ୟାନ ଦେଉ ନଥିବା ସେ ଅଭିଯୋଗ କରିଛନ୍ତି । ଯଦି ବିଡ଼ିଓ କାର୍ଯ୍ୟ ଆରମ୍ଭ କରନ୍ତି ତେବେ ଆଗାମୀ ଦିନରେ ଜନପ୍ରତିନିଧିମାନେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ବିଡ଼ିଓ ଏ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ।